Unknown

 

 

 

 

 

 

 

 

 

 

 

ନର ମାଂସାଶୀ

ମୂଳ ଲେଖକ : ଜୂଲେ ଭିର୍ଣ୍ଣେ

 

ଅନୁବାଦ

ଯତୀନ୍ଦ୍ର କୁମାର ଦାସ

 

(ଏକ)

 

୧୮୫୦ ଖ୍ରୀଷ୍ଟାଦ୍ଦର କଥା ।

 

କ୍ୟାପଟେନ୍‍ ଗ୍ରାଣ୍ଟ୍‍ ବ୍ରିଟାନିଆ ଜାହାଜରେ ଦକ୍ଷିଣ ଭାରତୀୟ ଦ୍ୱୀପପୁଞ୍ଜ ଆଡ଼େ ଯାଇଥିଲେ । ସେଇ ଅଞ୍ଚଳରେ କୌଣସି ନୂଆ ଦ୍ୱୀପ ଆବିଷ୍କାର କରି ଉପନିବେଶ ସ୍ଥାପନ କରିବା ତାଙ୍କର ଉଦ୍ଦେଶ୍ୟ ଥିଲା । ସେ ଅଷ୍ଟ୍ରେଲିଆରେ ପହଞ୍ଚିବାର ଖବର ମିଳିଥିଲା । କିନ୍ତୁ ତା’ପରେ ଜାହାଜ କିମ୍ୱା ତାଙ୍କର ଆଉ କିଛି ଖବର ମିଳିଲାନି ।

 

ପ୍ରାୟ ଦୁଇ ବର୍ଷ ପରେ ଲର୍ଡ ଗ୍ଳେନାରଭ୍ୟାନ୍‍ ଡନ୍‌କାନ୍‌ । ହାଜରେ କ୍ୟାପଟେନ୍‌ ଗ୍ରାଣ୍ଟ୍‍ଙ୍କୁ ଖୋଜିବାକୁ ବାହାରିଲେ ।

 

ଲର୍ଡ ଗ୍ଳେନାରଭ୍ୟାନ୍‍ଙ୍କ ସଙ୍ଗରେ ଗଲେ ତାଙ୍କ ସ୍ତ୍ରୀ ଲେଡି ହେଲେନା, କ୍ୟାପଟେନ୍‌ ଗ୍ରାଣ୍ଟ୍‍ଙ୍କ ଝିଅ ମେରୀ ଓ ପୁଅ ରବର୍ଟ–ଦୁଃସାହସୀ ଯୁବକ ମ୍ୟାଙ୍ଗ୍‌ଲସ; ଭୌଗଳିକ ପ୍ୟାଗାନେଲ୍‍, ଜଣେ ମେଜର, ପୂଝାରୀ ଅଲ୍‌ବିନେଟ୍‌, ମୁଲରାଡ଼ି, ଉଇଲସନ ଏବଂ ଆଉ କେତେଜଣ ।

 

ସେ ବୁଲି ବୁଲି ଅଷ୍ଟ୍ରେଲଆର ଟୁଫଲ୍‌ଡ ଉପସାଗରର ଗୋଟିଏ ସ୍ଥାନରେ ଓହ୍ଲାଇଲେ । ସେଠାରେ ଗୋଟିଏ ଫାର୍ମରେ ବ୍ରିଟାନିଆ ଜାହାଜର କ୍ୱାଟର ମାଷ୍ଟର ଆଇରନ୍‌ଟନ୍‌ ସଙ୍ଗେ ହଠାତ୍‌ ଦେଖା ହୋଇଗଲା । ତା’ଠାରୁ ଖବର ମିଳିଲା କ୍ୟାପଟେନ୍‌ ଗ୍ରାଣ୍ଟ୍‍ଙ୍କ ଜାହାଜ ବୁଡ଼ି ଯାଇଛି । ସେ ଜାହାଜର କିଏ କିଏ ବଞ୍ଚିଛନ୍ତି ବା କୁଆଡ଼େ ଯାଇଛନ୍ତି ସେ କିଛି କହି ପାରିବନି । କେବଳ ସେ ବହୁତ କଷ୍ଟରେ ଏଠାରେ ଆସି ପହଞ୍ଚିଛି ।

 

ତା’ପରେ ଆଇରନ୍‌ଟନ୍‌ ଯେଉଁଠାରେ ଜାହାଜ ବୁଡ଼ିଥିଲା ବୋଲି ତା’ର ସନ୍ଦେହ, ସେଇ ସ୍ଥାନ ଦେଖାଇବା ପାଇଁ ସେମାନଙ୍କୁ ଘୋଡ଼ାଗାଡ଼ିରେ ନେଇଗଲେ । କିନ୍ତୁ ହଠାତ୍‌ ବାଟରେ ଜଙ୍ଗଲ ଭିତରେ ଘୋଡ଼ାଗୁଡ଼ିକ ଆଶ୍ଚର୍ଯ୍ୟ ଜନକ ଭାବରେ ମରିଗଲେ । ମହାବିପଦ–ୟାଡ଼େ ଜାହାଜର ମରାମତି କରିବା ଦରକାର, କିନ୍ତୁ ଜାହାଜଠାରୁ ବହୁତ ଦୂରକୁ ସେମାନେ ଚାଲି ଆସିଛନ୍ତି ।

 

ତେଣୁ ଲର୍ଡ ଗ୍ଳେନାରଭ୍ୟାନ୍‌ ଡନ୍‌କାନ ଜାହାଜର ସହକାରୀ କ୍ୟାପଟେନ୍‌ ଟମ୍‌ଙ୍କୁ ଗୋଟିଏ ଚିଠି ଲେଖି ଆଦେଶ ଦେଲେ ସେ ଯେପରି ଅଷ୍ଟ୍ରେଲିଆର କୂଳେ କୂଳେ ବରାବର ଆସନ୍ତି-। ସେମାନେ ସମୁଦ୍ର କୂଳେ କୂଳେ ଯାଉଥିବେ । ଆଇରନ୍‌ଟନ୍‌ ହାତରେ ସେ ଚିଠି ପଠାଇଦେଲେ । ସେ ଚିଠି ନେଇ ଚାଲିଗଲା । କିନ୍ତୁ ଆଉ ଫେରିଲାନି । ଜାହାଜ ବି ଆସିଲାନି । ସମୁଦ୍ର କୂଳରେ ଲର୍ଡ ସଦଳବଳେ ଅନେକ ଦିନ ଅପେକ୍ଷା କଲେ । କିନ୍ତୁ ବୃଥା ଆଶା ।

 

ସ୍ଥାନୀୟ ଲୋକଙ୍କ ଠାରୁ ଖବର ମିଳିଲା–ଯେ ଦଳେ କୟେଦୀ ଜେଲରୁ ଖସି ଆସି ଚୋରି ଡକାୟତୀ କରି ବୁଲୁଛନ୍ତି । ଲୁଟ୍‌ତରାଜ କରି ଚାରିଆଡ଼େ ଆତଙ୍କ ଖେଳାଇ ଦେଲେଣି । ଜାହାଜଟି ନିଶ୍ଚୟ ସେମାନଙ୍କ କବଳରେ ପଡ଼ିଯାଇଛି । ଯେଉଁ ଲୋକଟି ନିଜକୁ ଆଇରନ୍‌ଟନ୍‌ ବୋଲି କହୁଥିଲା, ସେ ହେଉଛି ସେଇ ଡକାୟତମାନଙ୍କ ସର୍ଦ୍ଦାର, ଜେମ୍‌ ଜଏସ୍‌ ।

 

ସର୍ବନାଶ୍‌ ! କ୍ୟାପଟେନ୍‌ ଗ୍ରାଣ୍ଟ୍‍ଙ୍କୁ ସେମାନେ ଖୋଜିବାପାଇଁ ଆସିଥିଲେ । ତାଙ୍କର କିଛି ଖବର ତ ମିଳିଲାନି–ବରଂ ନିଜ ଜାହାଜଟି ବି ଶେଷରେ ଡକାୟତମାନଙ୍କ ହାବୁଡ଼ରେ ପଡ଼ିଗଲା । ଜାହାଜର ନାଉରୀମାନଙ୍କୁ ହୁଏତ ଡକାୟତମାନେ ମାରି ସମୁଦ୍ରରେ ପକାଇ ଦେଇଛନ୍ତି । ଶିହରି ଉଠିଲେ ଲର୍ଡ । ଲୁହରେ ଆଖି ପୂରିଗଲା । କି ହଇରାଣରେ ପଡ଼ି ନ ଗଲେ ସେମାନେ ! ବର୍ତ୍ତମାନ ଦେଶକୁ ଫେରିଯିବା ଛଡ଼ା ଆଉ କିଛି ଉପାୟ ନାହିଁ ।

 

ବାପାଙ୍କୁ ବି ଉଦ୍ଧାର କରାଯାଇ ପାରିଲାନି । ଏପରି କି ତାଙ୍କର କୌଣସି ଖବର ବି ମିଳିଲାନି । ମେରୀ ଓ ରବର୍ଟ କାନ୍ଦିବାକୁ ଲାଗିଲେ ।

 

ଶେଷରେ ଫେରିଯିବା ପାଇଁ ସ୍ଥିର ହେଲା । କିନ୍ତୁ ଜନ୍‌ ମ୍ୟାଙ୍ଗଲସ କହିଲା, ସେ ଦେଶକୁ ଫେରିଯିବନି–କ୍ୟାପଟେନ୍‌ ଗ୍ରାଣ୍ଟ୍‌ଙ୍କୁ ଖୋଜିବ । ଯେତେଦିନ ଯାଏ ତାଙ୍କ ସନ୍ଧାନ ନ ମିଳିଛି, ସେତେଦିନ ପର୍ଯ୍ୟନ୍ତ ସେ ଅଷ୍ଟ୍ରେଲିଆରେ ରହିବ ।

 

କିନ୍ତୁ ସେମାନେ ଫେରିବେ କିପରି ? ଟୁଫଲ୍‌ଡ ଉପସାଗରରୁ କୌଣସି ଜାହାଜ ଇଉରୋପକୁ ଯିବା ଆସିବା କରେ ନାହିଁ । ତେଣୁ ସେମାନଙ୍କୁ ମେଲବୋର୍ଣ୍ଣ କିମ୍ୱା ସିଡ଼ିନି ବନ୍ଦରକୁ ଯିବାକୁ ହେବ । ମେଲବୋର୍ଣ୍ଣ ବା ସିଡ଼ିନି–କେହି ପାଖ ନୁହେଁ । ଟୁଫଲ୍‌ଡ ଉପସାଗରରୁ ସେଠାକୁ କୌଣସି ଯାତ୍ରୀଜାହାଜ ଯାଏ ନାହିଁ । କେତେବେଳେ କେମିତି ଗୋଟାଏ ଅଧେ ମାଲବାହୀ ଜାହାଜ ଯାଏ ।

 

ବହୁତ ଖୋଜାଖୋଜି କରିବା ପରେ ‘ମ୍ୟାକୋୟାର’ ନାମକ ଗୋଟିଏ ଜାହାଜ ମିଳିଲା–ନିଉଜିଲ୍ୟାଣ୍ଡର ଅକ୍‌ଲ୍ୟାଣ୍ଡ ବନ୍ଦରକୁ ଯିବ । ସେଠାରୁ ଇଉରୋପଗାମୀ ଜାହାଜ ନିଶ୍ଚୟ ମିଳିବ ।

 

ମ୍ୟାକୋୟାର ଜାହାଜର କ୍ୟାପଟେନ୍‌ ହେଉଛି ଉଇଲ୍‌ହାଲି । ଚେହେରା ଅତି କଦର୍ଯ୍ୟ । ଆଖି ଦୁଇଟା ଲାଲ ଲାଲ–ଚବିଶ ଘଣ୍ଟା ମଦ ନିଶାରେ ମଜ୍‌ଗୁଲ୍‌ ଥାଏ । ବ୍ୟବହାର ବି ଅତି କଦର୍ଯ୍ୟ-

 

ସେ ସେମାନଙ୍କୁ ଦେଖି ଗର୍ଜ୍ଜି ଉଠିଲା, କଣ ଚାହଁ ?

 

ଆମେ ଅକ୍‌ଲ୍ୟାଣ୍ଡ ଯିବୁ ।

 

କେଇଜଣ ଅଛ ?

 

ଦୁଇଜଣ ସ୍ତ୍ରୀ ଲୋକଙ୍କୁ ମିଶାଇ ଆମେ ନଅ ଜଣ ।

 

ସାତ ଶହ ଲାଗିବ । ପାହୁଲାଏ ବି କମ୍‌ ହେବନି । ଯଦି ଯିବାପାଇଁ ଇଚ୍ଛା ଥାଏ ତ ଆସ, ନହେଲେ ଯାଅ । ଆଖିକୁ ଆହୁରି ଲାଲ ଲାଲ କରି ରୁକ୍ଷ ଭାବରେ କହିଲା ଉଇଲ୍‌ହାଲି ।

 

ବାଧ୍ୟ ହୋଇ ତା’ କଥାରେ ରାଜି ହେବାକୁ ପଡ଼ିଲା ।

 

ଆଗତୁରା ଦିଅ କିଛି–କ୍ୟାପଟେନ୍‌ ରାକ୍ଷସ ପରି ହାତଟା ତା’ର ବଢ଼ାଇଦେଲା ।

 

ଲର୍ଡ ଗ୍ଳେନାରଭ୍ୟାନ୍‍ ତିନି ଶହ ତା’ ହାତକୁ ବଢ଼ାଇ ଦେଲେ ।

 

ଟଙ୍କା ଗଣୁ ଗଣୁ କ୍ୟାପଟେନ୍‌ କହିଲା–କାଲି ସକାଳୁ ଜାହାଜକୁ ଆସ–ଖରାବେଳେ ଜାହାଜ ଛାଡ଼ିବ– ତମେ ସବୁ ଆସ କି ନ ଆସ ।

 

ଜାହାଜରୁ ସେମାନେ ଓହ୍ଲାଇ ଆସିଲେ । ଭୌଗୋଳିକ ପ୍ୟାଗାନେଲ୍‍ ନିଉଜିଲ୍ୟାଣ୍ଡର ଗୋଟିଏ ମାନଚିତ୍ର କିଣିଲା । ସେମାନେ ତା’ ଆରଦିନ ଜିନିଷପତ୍ର ନେଇ ଜାହାଜରେ ଚଢ଼ିଲେ ।

 

ଠିକ୍‌ ହେଲା, ସାବଧାନରେ ଚଳିବାକୁ ହେବ । ସେମାନଙ୍କୁ ଯେଉଁଠାରେ ରହିବାକୁ କୁହାଗଲା, ସେଠାରେ ମଣିଷ ତ ଦୂରର କଥା ଘୁଷୁରି ବି ରହିପାରିବ ନାହିଁ । କେତେଟା ଦିନ କୌଣସି ମତେ କଟାଇ ଦେଲେ ଯାଏ । ପ୍ରାୟ ଛ ଦିନ ଲାଗିବ । ହଜାର ମାଇଲ୍‌ ରାସ୍ତା–ଉଇଲ୍‌ ହାଲି ଲୋକ ହିସାବରେ ମୋଟେ ଭଲ ନୁହେଁ । ଏକଜିଦିଆ, ଗୁଣ୍ଡା, ମୂର୍ଖ ଆଉ ମାତାଲ । ଡକାୟତ ନହେଲେ ରକ୍ଷା । ସବୁବେଳେ ସତର୍କ ରହିବା ଦରକାର । ଜାହାଜର ଲୋକଙ୍କ ଉପରେ ବିଶ୍ୱାସ କରିବା ମୋଟେ ଉଚିତ୍‌ ନୁହେଁ । କ୍ୟାପଟେନ୍‍ ଯେମିତି ଧରଣର ଲୋକ, ତା’ ଲୋକଗୁଡ଼ାକ ବି ସେହିପରି । ସମସ୍ତେ ପକ୍‌କା ମଦୁଆ । ବଦ୍‌ ମିଜାଜୀ । ଭଲରେ ଭଲରେ ପହଞ୍ଚିଗଲେ ହେଲା ।

 

–ଦୁଇ–

 

ଜାହାଜ ଛାଡ଼ି ଦେବା ପରେ ଜଣା ପଡ଼ିଲା ଆଉ ଯାହା ହେଉ ନା କାହିଁକି ଉଇଲ୍‌ହାଲି ଜଣେ ଓସ୍ତାଦ ନାଉରୀ । ଏଇ ଅଞ୍ଚଳରେ ସମୁଦ୍ର ତା’ର ନଖ ଦର୍ପଣରେ । ଏ ଅଞ୍ଚଳରେ ସମୁଦ୍ର ଖୁବ୍‌ ଭୟାବହ । ସମୁଦ୍ର ତଳେ ତଳେ ରହିଛି ଅସଂଖ୍ୟ ପ୍ରବାଳ ପାହାଡ଼ । କେଉଁଠାରେ ଅଳ୍ପ ମୁଣ୍ଡ ଟେକିଛି ତ କେଉଁଠାରେ ପାଣିର ତଳେ । ସେଥିରେ ଧକ୍କା ଲାଗିବା ସଙ୍ଗେ ସଙ୍ଗେ ଜାହାଜର ତଳି ଫୁଟିଯିବ । ଆଉ ବୁଡ଼ି ମରିବାକୁ ବା କେତେ ସମୟ ଲାଗିବ ? କିନ୍ତୁ ଜାହାଜକୁ ମାତାଲ କ୍ୟାପଟେନ୍‍ ବେଶ୍‍ ଭଲ ଭାବରେ ଚଳାଇ ନେଇ ଯାଉଥିଲା ।

 

ଏଇପରି ଭାବରେ ଦିନେ ଦୁଇଦିନ ହୋଇ ଚାରିଦିନ କଟିଗଲା । ଏହା ଭିତରେ ବର୍ଷା ଝଡ଼ କେତେ ଆସିଲା, କେତେ ଗଲା ତା’ର ଠିକଣା ନାହିଁ । ଦୁଃଖ କଷ୍ଟର ଆଉ ସୀମା ରହିଲା ନାହିଁ-। ବିଶେଷତଃ ସ୍ତ୍ରୀ ଲୋକଙ୍କର ଅବସ୍ଥା ତ ଶୋଚନୀୟ–ଏତେ କଷ୍ଟ ସେମାନେ ଜୀବନରେ ଆଉ କେବେ ପାଇ ନଥିଲେ ।

 

ପାଞ୍ଚ ଦିନ ଗଲା । ଛ ଦିନ ବି ଗଲା । ଅକ୍‍ଲ୍ୟାଣ୍ଡ ତ ଦୂରର କଥା, କୂଳ ମଧ୍ୟ ଦେଖାଗଲା ନାହିଁ । ସେମାନେ ଚିନ୍ତିତ ହୋଇ ଉଇଲ୍‌ହାଲିକୁ ପଚାରିଲେ, ଆଉ କେତେଦିନ ଲାଗିବ-? ଭୂଲ ବାଟରେ ଆସିନେ ତ ?

 

ଚିତ୍କାର କରି ଉଠିଲା କ୍ୟାପଟେନ୍‍–ନିଜ ନିଜ କଥା ଭାବ, ଖବରଦାର ! ମୋ କାମରେ ମୁଣ୍ଡ ଖେଳାଅ ନାହିଁ କହୁଚି । ଯାଅ, ଚୁପ୍‍ଚାପ୍‌ ବସ ।

 

ବିଧା ମାରି ଉଇଲ୍‌ହାଲିର ନାକଦଣ୍ଡା ଫଟାଇ ଦେବାକୁ ଇଚ୍ଛା ହେଉଥିଲା । କିନ୍ତୁ ରାଗି ଚାପିଲେ ସମସ୍ତେ । ତାକୁ ମାଡ଼ ଦେଲେ ଆହୁରି ବିପଦ । ବାଟଘାଟ କିଛି ଜଣା ନାହିଁ । ପୁଣି ଏଇ ପ୍ରବାଳ ପାହାଡ଼ର ବାଟ ଖୁବ୍‌ ବିପଦ ଜନକ ।

 

ସେଦିନ ସନ୍ଧ୍ୟାରେ ଆସିଲା ପ୍ରବଳ ଝଡ଼ । ଆକାଶ କଳା ହୋଇଗଲା ମେଘରେ । ଘଡ଼ଘଡ଼ି ବିଜୁଳି ଚମକିଲା । ଘଡ଼ଘଡ଼ି ଶଦ୍ଦରେ କାନ ଅତଡ଼ା ପଡ଼ିଲା । ତା’ପରେ କି ତୋଫାନ ! ପାହାଡ଼ ପରି ଢେଉ ଆସି ଜାହାଜକୁ ନଚାଇବାକୁ ଲାଗିଲା । ଆଉ ବଞ୍ଚିବାର ଆଶା ନାହିଁ ।

 

ଏଣେ ଦୁଇଦିନ ହେଲା, ଖାଲି କ୍ୟାପଟେନ୍‌ ଉଇଲ୍‌ହାଲି ନୁହେଁ, ଜାହାଜର ନାଉରୀମାନେ ମଧ୍ୟ ମଦ ନିଶାରେ ଟଳମଳ ହଉଥାଆନ୍ତି । ଅସମ୍ଭାଳ ଅବସ୍ଥା ଆଖି ଲାଲ ଲାଲ । ଟଳି ଟଳି ପଡ଼ିଯାଉଛନ୍ତି ସମସ୍ତେ । ତୋଫାନ ଦେଖି କ୍ୟାପଟେନ୍‍ର ବୋଧହୁଏ ଚେତା ଆସିଲା । କେବିନ୍‌ରୁ ବାହାରି ଆସି ଗର୍ଜ୍ଜନ କରି ଆଦେଶ ଦେବାକୁ ଲାଗିଲା ନାବିକମାନଙ୍କୁ । ଖାଲି ଝଡ଼ ନୁହେଁ, ବର୍ଷା ବି ହେଲା–ଯେପରି ଖଣ୍ଡ ପ୍ରଳୟ !

 

କିଛି ସମୟ ଯିବା ପରେ ହଠାତ୍‌ ଗୋଟାଏ ପ୍ରଚଣ୍ଡ ଧକ୍‌କାରେ ଜାହାଜଟା ଦୋହଲି ଦୋହଲି ରହିଗଲା । ଚାରିଆଡ଼େ ଅନ୍ଧାର–ପ୍ରବଳ ତୋଫାନ । ଜଣା ପଡ଼ିଲା, ଜାହାଜଟା ବୋଧହୁଏ ଗୋଟାଏ ପ୍ରବାଳ ପାହାଡ଼ କିମ୍ୱା ବାଲିଚଡ଼ାରେ ଅଟକି ଯାଇଛି ।

 

ସେମାନେ ସମସ୍ତେ ଥିଲେ ଜାହାଜର ତଳେ । ଖୋଜି ଦେଖିଲେ ଜାହାଜ ତଳିଟା ଫୁଟିଯାଇଛି କି ନାହିଁ । ନା, ଫୁଟିନି ।

 

ଏଇ ସମୟରେ ବାହାରେ ଶୁଣାଗଲା କୋଳାହଳ । ତା’ପରେ ଦେଖାଗଲା କେତେଜଣ ମାତାଲ ନାଉରୀ ସିଡ଼ିରେ ତଳକୁ ଓହ୍ଲାଇ ଆସୁଛନ୍ତି । ସେମାନଙ୍କ ରାକ୍ଷସ ଆକୃତି ମଦ ନିଶାରେ ଆହୁରି ଉଗ୍ର ହୋଇ ଉଠିଛି । ବୋଧହୁଏ ରାଗି ଯାଇଛନ୍ତି–ସେମାନଙ୍କୁ ମାରି ପକାଇବାକୁ ଆସୁଛନ୍ତି-

 

ଜନ୍‌ ମ୍ୟାଙ୍ଗ୍‌ଲସ ହଠାତ୍‌ ରିଭଲଭର ବାହାର କରି ଗର୍ଜ୍ଜନ କରି ଉଠିଲା, ଆଉ ପାଦେ ଆଗେଇବାକୁ ଚେଷ୍ଟା କଲେ ସିଧା ଯମପୁର ପଠାଇଦେବି ।

 

ଏହା କହି ଦୁଇଥର ଅନ୍ୟ ଆଡ଼କୁ ଲକ୍ଷ୍ୟ କରି ରିଭଲଭର ଫୁଟାଇଲା ।

 

ଗୁଳି ଶଦ୍ଦରେ ନାଉରୀମାନେ ଭୟ ପାଇ ପଳାଇଗଲେ । ତା’ପରେ ସିଡ଼ି କବାଟ ବନ୍ଦ କରି ସେମାନେ ଚୁପ୍‌ଚାପ୍‌ ବସି ରହିଲେ । ବୁଝି ପାରିଲେ–ଏମାନେ ବି ଡକାୟତ–ବିନା ଯୁଦ୍ଧରେ ଏମାନଙ୍କ ହାତରୁ ଖସିବାର ଉପାୟ ନାହିଁ ଆଉ ।

 

ଖୁବ୍‌ ଦୁଶ୍ଚିନ୍ତାରେ ରାତିଟି ବିତିଲା । ଭୋରର ଆଲୁଅ ଦେଖା ଯିବାରୁ ରବର୍ଟ–ପ୍ୟାଗାନେଲ୍‍ ସନ୍ତର୍ପଣରେ ଉପରକୁ ଉଠିଲେ । କିନ୍ତୁ ଆଶ୍ଚର୍ଯ୍ୟର କଥା; କେହି କୁଆଡ଼େ ନାହିଁ–ସବୁ ଶୂନଶାନ । ବୋଧହୁଏ କ୍ୟାପଟେନ୍‍ ଆଉ ତା’ ଲୋକମାନେ ମଦ ନିଶାରେ ଢୁଳାଉଛନ୍ତି । କେବିନ୍‌ ପାଖକୁ ଆସି ସେମାନେ ଅବାକ ହେଲେ । କବାଟ ଖୋଲା–କ୍ୟାପଟେନ୍‌ ନାହିଁ । ଖାଲି କ୍ୟାପଟେନ୍‍ ନୁହେଁ–ଦେଖାଗଲା କେହି ଜଣେ ସୁଦ୍ଧା ଜାହାଜରେ ନାହିଁ । ହଠାତ୍‌ ନଜରରେ ପଡ଼ିଲା–ନୌକାଟି ବି ନାହିଁ । ତା’ହେଲେ ସମସ୍ତେ ପଳାଇଛନ୍ତି । ଆଠ, ନଅ ମାଇଲ ଦୂରରେ ଦେଖାଯାଉଛି-କୂଳ–ବୋଧହୁଏ ସେଇଠିକି ଯାଇଛନ୍ତି ।

 

ଜାହାଜ ଅଟକି ରହିଛି ପ୍ରବାଳ ପାହାଡ଼ରେ–ଉତ୍ତାଳ ସମୁଦ୍ର–ଦୂରରେ କୂଳ–କିନ୍ତୁ କୂଳକୁ ଯିବାପାଇଁ ଗୋଟିଏ ସୁଦ୍ଧା ଡଙ୍ଗା ନାହିଁ ।

 

ଜୁଆର ସମୟରେ ନଙ୍ଗର ଉଠାଇ ସେମାନେ ଥରେ ଚେଷ୍ଟା କଲେ ଜାହାଜକୁ ଭସାଇବା ପାଇଁ । କିନ୍ତୁ କିଛି ଫଳ ହେଲାନି । ଜାହାଜ ଭାସିଲାନି । ଜୋରରେ ଅଟକି ଯାଇଛି । ତା’ ଆରଦିନ ଜୁଆର ସମୟରେ ଆଉ ଥରେ ଚେଷ୍ଟା କରାଗଲା । ଏଥର ବି ସେଇ ଅବସ୍ଥା । ଅଚଳ ହୋଇ ଠିଆ ହୋଇଛି ଜାହାଜ ।

 

ସେତେବେଳେ ସ୍ଥିର ହେଲା ଭେଳା କରି ଯିବା ଛଡ଼ା ଆଉ ଉପାୟ ନାହିଁ । କୂଳକୁ ଯିବାକୁ ହେବ; ତା’ପରେ ଚାଲି ଚାଲି ଅକ୍‌ଲ୍ୟାଣ୍ଡ । ଭେଳା ତିଆରି ଆରମ୍ଭ ହେଲା । ସମସ୍ତେ ମିଶି ମାସ୍ତୁଲ କାଟି, ତକ୍ତା ପକାଇ, ଦଉଡ଼ି ଦେଇ ବାନ୍ଧି ବିରାଟ ଆକାରର ଭେଳା ତିଆରି କଲେ । ସମୁଦ୍ର ପାଣିରୁ ଉଚ୍ଚ କରିବା ପାଇଁ ତଳେ କେତେଟା ଖାଲି ଡ୍ରମ ବାନ୍ଧି ଦିଆଗଲା । କିଛି ଖାଇବା ଜିନିଷ ଓ ସେମାନେ ଛାଡ଼ି ଯାଇଥିବା କିଛି ଗୋଳାଗୁଳି ସଙ୍ଗରେ ନେଇ ।

 

ତା’ ପରେ ଭେଳା ଭସାଇ କୂଳ ଆଡ଼କୁ ସେମାନେ ଚାଲିଲେ ।

 

–ତିନି–

 

ଅଳ୍ପ ଦୂରରେ ନିଉଜିଲ୍ୟାଣ୍ଡର ଉପକୂଳ ଦେଖାଯାଉଛି । ଅଜଣା ସ୍ଥାନ । ସହର ବା ବନ୍ଦର କେତେ ଦୂରରେ କିଏ ଜାଣେ । ହୁଏତ କୂଳରେ ଥିବା ନିର୍ଜ୍ଜନ ବଣ, କିମ୍ୱା ଆଦିବାସୀମାନଙ୍କ ହାବୁଡ଼ରେ ପଡ଼ିଯାଇ ପାରନ୍ତି ସେମାନେ ।

 

ଭୌଗୋଳିକ ପ୍ୟାଗାନେଲ୍‍ର ଚିନ୍ତିତ ମୁହଁ ଦେଖି ଜନ୍‌ମ୍ୟାଙ୍ଗ୍‌ଲସ ପଚାରିଲା, ତୁମେ ଏତେ ଚିନ୍ତିତ କାହିଁକି ?

 

ଚିନ୍ତା କ’ଣ ଇଚ୍ଛା କରି କରାଯାଏ ? ନିଉଜିଲ୍ୟାଣ୍ଡରେ ପାଦ ଦେଲେ ଆଉ ଜୀବନରେ ଫେରନ୍ତି ନାହିଁ ଶୁଣିଛି ।

 

କାହିଁକି ?

 

ପ୍ୟାଗାନେଲ୍‍ କହିଲା, ଏ ଦେଶର ଇତିହାସ ମୁଁ ଜାଣେ, ତେଣୁ ଏ କଥା କହୁଛି ।

 

କି ଇତିହାସ ଜାଣିଛ କହିଲ ? ମୁଲରାଡ଼ି ପଚାରିଲା ।

 

ଏଇଟା ହେଲା ନରମାଂସାଶୀମାନଙ୍କ ଦେଶ ।

 

ନରମାଂସାଶୀ ? ଚମକି ଉଠିଲେ ସମସ୍ତେ ।

 

ହଁ ।

 

ଏହା କହି ସେ ନିଉଜିଲ୍ୟାଣ୍ଡର ଇତିହାସ କହିବାକୁ ଲାଗିଲା ।

 

ନିଉଜିଲ୍ୟାଣ୍ଡର ଜଙ୍ଗଲୀ ଆଦିବାସୀମାନଙ୍କ ନାମ ମାଉରୀ । ସେମାନଙ୍କ ପରି ହିଂସ୍ର ପ୍ରକୃତିର ମଣିଷ ପୃଥିବୀରେ ଆଉ ନାହାନ୍ତି । ଯଦିଓ ଇଂରେଜମାନେ ଏ ଦେଶକୁ ଅଧିକାର କରିଛନ୍ତି ତଥାପି ସେମାନେ ଏଇ ଆଦିବାସୀମାନଙ୍କୁ ଶାସନ କରିବାକୁ ଅସ୍ତବ୍ୟସ୍ତ ହେଇଯାଉଛନ୍ତି । ସମଗ୍ର ଦେଶକୁ ତ ଦଖଲ କରିପାରି ନାହାନ୍ତି, ଯେଉଁ ଟିକକ ସହର ବନ୍ଦର ସେମାନଙ୍କ ହାତରେ ଅଛି, ତାକୁ ବି ରକ୍ଷା କରିବା କଷ୍ଟକର ହେଲାଣି । ଯୁଦ୍ଧ ଅନବରତ ଲାଗି ରହିଛି । ଏଠା ଲୋକେ ନିପୁଣ ଯୋଦ୍ଧା ଓ ଖୁବ୍‌ ଦୁଃସାହସୀ । ଇଉରୋପୀୟମାନଙ୍କ ଉପରେ ସେମାନଙ୍କର ଭୀଷଣ ରାଗ, ବିଶେଷତଃ ଇଂରେଜମାନଙ୍କ ଉପରେ ।

 

କଣ କହୁଚ ? ଉଇଲ୍‌ସନ ଆତଙ୍କିତ ହୋଇ ପଚାରିଲା ।

 

ହଁ; ଭୌଗୋଳିକ କହିଲା । ସେଇଥିପାଇଁତ କହୁଚି ଏ ଦେଶ ଭିତର ଦେଇ ଯିବା ମାନେ ଯମପୁରୀ ଦେଇ ଯିବା । ଆଚ୍ଛା ଏ ଭେଳାଟିକୁ ସମୁଦ୍ରବାଟରେ ଅକ୍‌ଲ୍ୟାଣ୍ଡ ପର୍ଯ୍ୟନ୍ତ ନେଇ ହେବନି ? ତା’ହେଲେ ମୋଟେ କୂଳରେ ଓହ୍ଲାଇବାକୁ ପଡ଼ନ୍ତା ନାହିଁ ।

 

ଜନ୍‍ ମ୍ୟାଙ୍ଗ୍‍ଲସ କହିଲା, ଅସମ୍ଭବ । ଏଇ ଦଦରା ଭେଳା ସମୁଦ୍ରର ଧକ୍‌କା ମୋଟେ ସହି ପାରିବ ନାହିଁ ।

 

ମାଉରୀମାନେ ମଣିଷ ମାଂସ ଖାଆନ୍ତି । ପ୍ୟାଗାନେଲ୍‍ ଆଉ ଥରେ କହିଲା ।

 

ମଣିଷ ମାଂସ ଖାଆନ୍ତି ?

 

ହଁ । ଯୁଦ୍ଧ ବନ୍ଦୀମାନଙ୍କୁ ଏମାନେ ଖାଆନ୍ତି । ଏମାନଙ୍କର ଅନ୍ଧବିଶ୍ୱାସ, ସେମାନଙ୍କୁ ଖାଇଲେ ବନ୍ଦୀମାନଙ୍କ ବଳ, ବୀର୍ଯ୍ୟ, ସାହସ ସବୁ କିଛି ନିଜ ଦେହ ଭିତରକୁ ଆସିଯାଏ । ଯୁଦ୍ଧରେ ମରିଯାଇଥିବା ଲୋକମାନଙ୍କୁ ଆଗେ କବର ଦେଉଥିଲେ, କିନ୍ତୁ ଏବେ ସେମାନଙ୍କୁ ଖାଉଛନ୍ତି । ସେମାନଙ୍କ ମତରେ ମଣିଷ ମାଂସ ପରି ସୁସ୍ୱାଦୁ ଖାଦ୍ୟ ଆଉ କିଛି ନାହିଁ ।

 

ସେମାନେ ପରା ଖ୍ରୀଷ୍ଟିୟାନ ? ଲେଡି ହେଲେନା ପ୍ରଶ୍ନ କଲେ ।

 

ନା, ଅଳ୍ପ ଲୋକ ଖ୍ରୀଷ୍ଟିୟାନ । ଖ୍ରୀଷ୍ଟଧର୍ମ ପ୍ରଚାର କରିବାକୁ ଯାଇ କେତେ ମିଶନାରୀ ଯେ ପ୍ରାଣ ଦେଇଛନ୍ତି ତା’ର ଇୟତ୍ତା ନାହିଁ । ଗତ ବର୍ଷ ଓୟାକନର ବୋଲି ଜଣେ ମିଶନାରୀଙ୍କୁ ଏଇ ଜଙ୍ଗଲୀମାନେ ଅତି ନୃଶଂସ ଭାବରେ ମାରି ପକାଇଥିଲେ । ମାଉରୀ ସ୍ତ୍ରୀଲୋକମାନେ ତାଙ୍କ ଆଖି ଉପାଡ଼ି ପକାଇଥିଲେ–ରକ୍ତ ଢକ ଢକ କରି ପିଇ ଦେଇଥିଲେ–ମୁଣ୍ଡର ଦହି ଚାଖି ଚାଖି ଖାଇଥିଲେ-। ଶେଷରେ ପୁରୁଷମାନେ ତାଙ୍କ ମାଂସ ଆନନ୍ଦରେ ଖାଇଥିଲେ ।

 

କି ବର୍ବର ଜଘନ୍ୟ ଲୋକଗୁଡ଼ାକ ! ଧନ୍ୟ ଏମାନଙ୍କ ଧର୍ମ ଓ ସଂସ୍କାର ! ଘୃଣାରେ ଲର୍ଡଙ୍କ ନାକ ମୁହଁ କୁଞ୍ଚିତ ହୋଇଗଲା ।

 

ଖାଲି ଧର୍ମ ନୁହେଁ–ମଣିଷ ମାଂସ ଖିଆ ବୋଧହୁଏ ପ୍ରଥମେ ଆରମ୍ଭ ହୁଏ କ୍ଷୁଧାରୁ । ପ୍ରଚଣ୍ଡ କ୍ଷୁଧା ଯୋଗୁଁ ଜଙ୍ଗଲୀମାନେ ଏଇ ପ୍ରବୃତ୍ତିର ଆସକ୍ତି ହୁଅନ୍ତି । କିଛି ମନେ କରିବେ ନାହିଁ; ଆଜି ଯେଉଁମାନେ ସଭ୍ୟ ବୋଲି ବୋଲାଉଚନ୍ତି, ସେମାନଙ୍କ ପୂର୍ବ ପୁରୁଷମାନଙ୍କର ଏଇ ମଣିଷ ମାଂସ ଖିଆ ଅଭ୍ୟାସ ଥିଲା । ଏବରି କି ଆପଣଙ୍କ ସ୍କଚ୍‌ ଜାତିରେ ଏହା ଚଳୁଥିବାର ପ୍ରମାଣ ମିଳିଛି-। ଇଂରେଜମାନଙ୍କ ମଧ୍ୟରେ, ବେଶୀ ଦିନର କଥା ନୁହେଁ–ଏଲିଜାବେଥ୍‌ଙ୍କ ରାଜତ୍ୱ କାଳରେ, ସେକ୍‌ସପିଅର ଯେତେବେଳେ ସାଇଲକ୍‌ ଚରିତ୍ର ଲେଖିବାରେ ବ୍ୟସ୍ତ, ସେ ସମୟରେ ସନିବିନ୍‌ ନାମକ ଜଣେ ଦସ୍ୟୁ ମଣିଷ ମାଂସ ଖାଇବା ଅପରାଧରେ ଧରା ହୋଇଥିଲା । କହନ୍ତୁ ତ, ଏହା କ’ଣ ଧର୍ମ ନା ସଂସ୍କାର ପାଇଁ ? ନା, ଖାଲି କ୍ଷୁଧା !

 

କ୍ଷୁଧା ? ଜନ୍‍ ମ୍ୟାଙ୍ଗ୍‍ଲସ ବିସ୍ମିତ ହୋଇ ପଚାରିଲା ।

 

ହଁ, ସେଇଆ । ତା’ ଛଡ଼ା ମାଉରୀମାନେ ପୂରାପୂରି ନିରାମିଷ ନୁହଁନ୍ତି–ସୁତରାଂ.......

 

କାହିଁକି; ସେମାନେ ଅନ୍ୟ ଜନ୍ତୁ ମାଂସ ତ ଖାଇ ପାରନ୍ତେ ? ମେରୀ କହିଲା ।

 

ଅନ୍ୟ ଜନ୍ତୁ କାହାନ୍ତି ? ଗୋରୁ ମେଣ୍ଢା ପ୍ରଭୁତି ଜନ୍ତୁ ଏ ଦେଶରେ ପ୍ରାୟ ନାହାନ୍ତି କହିଲେ ଚଳେ । ସୁତରାଂ ସେମାନେ ଖୁବ୍‌ ଆନନ୍ଦରେ ମଣିଷ ମାଂସ ଖାଆନ୍ତି । ଥରେ ଜଣେ ମିଶନାରୀ ଜଣେ ମାଉରୀ ସର୍ଦ୍ଦାରକୁ ଏକଥା ପଚାରିବାରୁ ସେ ଉତ୍ତର ଦେଇଥିଲା–ମଣିଷ ମଣିଷ ମାଂସ ଖାଇଲେ ଖରାପ କ’ଣ ? ମାଛମାନେ ମାଛ ଖାଆନ୍ତି, କୁକୁର ମଣିଷ ଖାଏ, ମଣିଷ କୁକୁର ଖାଏ । ସେମାନଙ୍କ ଗୋଟିଏ ଧର୍ମ ଶାସ୍ତ୍ରରେ କୁଆଡ଼େ ଅଛି–ଜଣେ ଦେବତା ଆଉ ଜଣେ ଦେବତାକୁ ଖାଇଥିଲା । ତେଣୁ ସେମାନେ ମଣିଷ ମାଂସ ଖାଇବେ । ସେଥିରେ ଆଶ୍ଚର୍ଯ୍ୟ ହେବାର କ’ଣ ଅଛି-? ଖାଲିଯେ ସେମାନେ ଯୁଦ୍ଧବନ୍ଦୀମାନଙ୍କୁ ଖାଆନ୍ତି ତା’ ନୁହେଁ–ନିଜ ଆତ୍ମୀୟ ସ୍ୱଜନ ମଲେ ସେମାନେ ତାକୁ ଖାଇ ଦିଅନ୍ତି । ସେମାନଙ୍କର କୌଣସି ରାଜା ବା ସର୍ଦ୍ଦାର ମରିଗଲେ ତା’ର ସ୍ତ୍ରୀକୁ ସହମରଣ ଯିବାକୁ ପଡ଼େ । ଚାକର ବାକରଙ୍କର ମଧ୍ୟ ସେଇ ଅବସ୍ଥା । କାରଣ ସେମାନଙ୍କର ବିଶ୍ୱାସ ପର କାଳରେ କିଏ ଆଉ ସେବା କରିବ ? ବର୍ତ୍ତମାନ ସେମାନେ ନୂଆ ପ୍ରକାରର ମାଂସ ପାଇଛନ୍ତି–ଧଳା ଚମଡ଼ା ଥିବା ଲୋକଙ୍କ ମାଂସ । ହୁଏତ ଏଇ ଧଳା ଚମଡ଼ା ମାଂସ ସେମାନଙ୍କୁ ଖୁବ୍‌ ମିଠା ଲାଗୁଛି ।

 

ସେମାନେ କ’ଣ କଞ୍ଚା ମାଂସ ଖାଆନ୍ତି ?

 

କିଛି ଠିକ୍‌ ଠିକଣା ନାହିଁ । କେତେବେଳେ କଞ୍ଚା ମାଂସ ଅବଶ୍ୟ ଖାଆନ୍ତି, କିନ୍ତୁ ଅନେକ ସମୟରେ ରାନ୍ଧି କରି ଖାଆନ୍ତି । ସେମାନେ କୁଆଡ଼େ ଭଲ ରାନ୍ଧି ପାରନ୍ତି ।

 

ଏହା ଶୁଣି ପ୍ରତ୍ୟେକଙ୍କର ଯେ କି ଅବସ୍ଥା ହେଲା ତାହା ଭାଷାରେ ଅବର୍ଣ୍ଣନୀୟ । ସ୍ତ୍ରୀ ଲୋକମାନେ କାନ୍ଦି ପକାଇଲେ । ବର୍ତ୍ତମାନ ଦୁଇଟି ବାଟ–ହୁଏତ ସମୁଦ୍ରରେ ବୁଡ଼ି ମର–ନହେଲେ କୂଳକୁ ଯାଇ ଜଙ୍ଗଲୀମାନଙ୍କ ହାତରେ ପଡ଼ । ଏହାଛଡ଼ା ଆଉ କୌଣସି ବାଟ ନାହିଁ । ଏହା ଠାରୁ ଆହୁରି ବିପଦର ସମ୍ଭାବନା ଥିଲେ ବି ସେମାନଙ୍କୁ ନିଶ୍ଚୟ କୂଳରେ ଓହ୍ଲାଇବାକୁ ହୋଇଥାନ୍ତା । ଦେଖାଯାଉ, ଭାଗ୍ୟରେ କ’ଣ ଅଛି ।

 

ଭେଳା ତ, ଡଙ୍ଗା ନୁହେଁ ଯେ ଶୀଘ୍ର ଶୀଘ୍ର ଚାଲିବ–ଭେଳା ଧୀରେ ଧୀରେ ଭାସି ଭାସି ଚାଲିଲା । ପ୍ରାୟ ଚାରିଘଣ୍ଟା ପରେ କୂଳରେ ପହଞ୍ଚିଲା । କୂଳଠାରୁ ଅଳ୍ପ ଦୂରରେ, ପାଣି ଉପରେ କଳା ହୋଇ କ’ଣ ଗୋଟାଏ ଭାସୁଥିବାର ଦେଖାଗଲା । ପ୍ରଥମେ ମନେ ହେଲା ତିମିମାଛ । କିନ୍ତୁ ଦୂରବୀକ୍ଷଣ ଯନ୍ତ୍ର ଦେଇ ଦେଖିବାରୁ ଜଣା ପଡ଼ିଲା ଆଉ କିଛି ନୁହେଁ, ଗୋଟିଏ ଡଙ୍ଗା ଓଲଟି ପଡ଼ିଛି-। ପାଖକୁ ଆସିବାରୁ ଜଣାଗଲା ତାହା ମାକୋୟାରୀ ଜାହାଜର ସେଇ, ଡଙ୍ଗା । ବୁଝିବାକୁ ବାକି ରହିଲାନି ଯେ, ଦୁର୍ଯ୍ୟୋଗ ରାତିରେ, ଅସମ୍ଭାଳ ସମୁଦ୍ରରେ ପଳାଇଯାଇ ସେଇ ବଦ୍‌ମାସ କ୍ୟାପଟେନ୍‌ ଉଇଲ୍‌ହାଲି ଓ ତା’ର ଲୋକେ ପ୍ରବାଳ ପାହାଡ଼ରେ ଧକ୍‌କା ଖାଇ ସଲୀଳ ସମାଧି ଲାଭ କରିଛନ୍ତି । ଦୁଷ୍ଟ ଓ ଦୁଷ୍ଟବୁଦ୍ଧିର ପ୍ରାୟଶ୍ଚିତ ହୋଇ ଯାଇଛି । ପାଣି କମ୍‌ ଥିବାରୁ କୂଳରୁ ଅଳ୍ପ ଦୂରରେ ଭେଳା ରହିଗଲା । ସମସ୍ତେ ଓହ୍ଲାଇଲେ । ତା’ପରେ ସ୍ତ୍ରୀ ଲୋକଙ୍କୁ କାନ୍ଧରେ ବୋହି କୂଳରେ ପହଞ୍ଚାଇ ଦିଆଗଲା । ଗୋଟିଏ ଗୋଟିଏ ଜିନିଷପତ୍ର ସବୁ ଓହ୍ଲାଗଲା ।

 

–ଚାରି–

 

ଭୌଗଳିକ ହିସାବ କରି କହିଲା, ଆମେ ବୋଧହୁଏ ଅକ୍‍ଲ୍ୟାଣ୍ଡରୁ ୭୦ । ୮୦ ମାଇଲ୍‌ ଦୂରରେ ଅଛେ । ଲର୍ଡ ଗ୍ଳେନାରଭ୍ୟାନ୍‍ କହିଲେ, ଜଙ୍ଗଲ ଦେଇ ନ ଯାଇ କୂଳେ କୂଳେ ଚାଲ ଯିବା ।

 

କିନ୍ତୁ ତାହା ସମ୍ଭବ ହେଲା ନାହିଁ । ଏଗାରଟା ସମୟରେ ପୁଣି ଆକାଶ ଘୋଡ଼ାଇ ଆସିଲା ମେଘ–ଆଉ ହୁ ହୁ କରି ମାଡ଼ି ଆସିଲା ଝଡ଼ ତୋଫାନ । ଝଡ଼ ସଙ୍ଗରେ ମୂଷଳ ଧାରାରେ ବର୍ଷା । ବାଧ୍ୟ ହୋଇ ସେମାନଙ୍କୁ ଗୋଟାଏ ପାହାଡ଼ ଗୁହାରେ ଆଶ୍ରୟ ନେବାକୁ ପଡ଼ିଲା । ବର୍ଷା ଶୀଘ୍ର ଛାଡ଼ିଯିବ ବୋଲି ମନେ ହେଲାନି । ସୁତରାଂ ଆଜି ଦିନଟି ମାଟି ହେଲା–ରାତିରେ ଚାଲିବା ସମ୍ଭବ ନୁହେଁ, ନିରାପଦ ବି ନୁହେଁ । ଅର୍ଥାତ୍‍ କାଲି ସକାଳ ଆଗରୁ ଯାତ୍ରା ଆରମ୍ଭ ହେବା ସମ୍ଭବ ନୁହେଁ । ସୁତରାଂ ପୂଝାରୀ ଆଲ୍‌ବିନେଟ୍‌ ଖାଇବା ପିଇବାର ବନ୍ଦୋବସ୍ତ କରିବାରେ ଲାଗିଗଲା । ବିଛଣାପତ୍ର ବିଛାଇ ରାତିଟା କଟାଇବାର ଚେଷ୍ଟା ଚାଲିଲା ।

 

ଭବିଷ୍ୟତ ସମ୍ୱନ୍ଧରେ ବି ଆଲୋଚନା ହେବାକୁ ଲାଗିଲା ।

 

ଭୌଗୋଳିକ ପ୍ୟାଗାନେଲ୍‍ ସର୍ବଜ୍ଞ । ଏଇ ସ୍ଥାନର ଇତିହାସ ତା’ର ମୁଖସ୍ଥ । ତା’ ଠାରୁ ଜଣାଗଲା, ୧୬୪୨ ଖ୍ରୀଷ୍ଟାଦ୍ଦ ପର୍ଯ୍ୟନ୍ତ ନିଉଜିଲ୍ୟାଣ୍ଡବାସୀମାନେ ଥିଲେ ସ୍ୱାଧୀନ । କୌଣସି ଇଉରୋପୀୟ ଶକ୍ତି ଏଠାରେ ଆସି ସେତେବେଳେ ଉପନିବେଶ ସ୍ଥାପନ କରିବାରେ ସ୍ୱପ୍ନ ଦେଖିନି-। ତା’ପରେ ଆସିଲେ ଇଂରେଜମାନେ । ମିଶନାରୀମାନେ ଅବଶ୍ୟ ପୂର୍ବରୁ ଆସିଥିଲେ । ସେମାନଙ୍କ ସାହାଯ୍ୟରେ ଇଂରେଜମାନେ ଏ ଦେଶର ଅନେକ ସର୍ଦ୍ଦାରଙ୍କୁ ନିମନ୍ତ୍ରଣ କରି ପ୍ରସ୍ତାବ ଦେଲେ ବଶ୍ୟତା ସ୍ୱୀକାର କରିଯିବା ପାଇଁ । ସେମାନେ ଯଦି ମହାରାଣୀ ଭିକ୍ଟୋରିଆଙ୍କ ପ୍ରଜା ହୁଅନ୍ତି, ତା’ହେଲେ ମହାରାଣୀ ସେମାନଙ୍କର ରକ୍ଷଣାବେକ୍ଷଣର ଭାର ଆନନ୍ଦର ସହିତ ଗ୍ରହଣ କରିବେ ଏବଂ ଏଥିପାଇଁ ସେ ଗୋଟିଏ ଜାହାଜ, ସୈନ୍ୟ ଓ ଗୁଳି ଗୁଳା ପ୍ରଭୃତି ପଠାଇଛନ୍ତି । ଏ ପ୍ରସ୍ତାବରେ ଦାସତ୍ୱର ଇଙ୍ଗିତ ପାଇ ପ୍ରଥମେ କେହି ରାଜି ହେଲେ ନାହିଁ । କିନ୍ତୁ ଲାଞ୍ଚ ଓ ଉପହାର ପ୍ରଲୋଭନରେ ପଡ଼ି ଅଳ୍ପ କେତେଜଣ ସର୍ଦ୍ଦାର ବଶତା ସ୍ୱୀକାର କରିଗଲେ ।

 

ସେଇଠୁ ଆରମ୍ଭ ହେଲା ଲଢ଼େଇ । ଜଙ୍ଗଲୀ ଲୋକଙ୍କ ମଧ୍ୟରୁ ଅନେକ ବ୍ୟସ୍ତ ରହିଲେ ସ୍ୱାଧୀନତା ଲଢ଼େଇରେ । ଇଂରେଜମାନେ ଉତ୍ତର ଅଞ୍ଚଳରୁ କିଛି ଅଂଶ ଦଖଲ କରି ଶାସନ ଆରମ୍ଭ କଲେ–ଆଉ ସେଠାରୁ ଦକ୍ଷିଣ ଆଡ଼କୁ ସୈନ୍ୟ ପଠାଇ ମଝିରେ ମଝିରେ ଲଢ଼େଇ କରିବାକୁ ଲାଗିଲେ ।

 

କିନ୍ତୁ ଲଢ଼େଇରେ ସେମାନେ ବଡ଼ ଧରଣର ଜିତାପଟ ହାସଲ କରି ପାରିଲେ ନାହିଁ । ଆଦିବାସୀମାନେ ନିପୁଣ ଯୋଦ୍ଧା–ଲମ୍ୱାରେ ପ୍ରାୟ ଛ ଫୁଟ, ସାଢ଼େ ଛଅ ଫୁଟ–ସେହିପରି ବଳିଷ୍ଠ ଓ ଶକ୍ତିଶାଳୀ । ସେମାନଙ୍କ ସଙ୍ଗେ ଲଢ଼େଇ କରି ଜିଣିବା ସହଜ କଥା ନୁହେଁ । ପୁଣି ବିଦ୍ରୋହୀମାନଙ୍କ ନେତା ହେଉଛନ୍ତି ଉଇଲିୟମ ଟମ୍‌ସନ ନାମକ ଜଣେ ଚତୁର ଓ କ୍ଷମତାଶାଳୀ ବ୍ୟକ୍ତି ।

 

ପୋଟାଟାର୍ଡ ବୋଲି ଜଣେ ରାଜା ଥିଲେ । ତାଙ୍କର ସୁଯୋଗ୍ୟ ଓ ବିଚକ୍ଷଣ ମନ୍ତ୍ରୀ ଥିଲା ଏଇ ଉଇଲିୟମ ଟମ୍‌ସନ । ଜଙ୍ଗଲି ଖ୍ରୀଷ୍ଟିୟାନ । ତା’ ନେତୃତ୍ୱରେ ପ୍ରାୟ ୭୫ ହଜାର ଜଙ୍ଗଲୀଙ୍କ ମଧ୍ୟରୁ ତିରିଶ ହଜାର ସୁନିପୁଣ ଯୋଦ୍ଧା ଇଂରେଜ ସରକାରଙ୍କୁ ବ୍ୟତିବ୍ୟସ୍ତ କରି ପକାଇଲେ ।

 

ବିଦ୍ରୋହୀ ମାଉରୀମାନେ ଟାରନାଟି ନାମକ ପାର୍ବତ୍ୟ ଅଞ୍ଚଳରେ ମଜ୍‌ଭୁତ୍‌ ଦୁର୍ଗ କରି ରହିଛନ୍ତି । ଏଇ ଅଞ୍ଚଳ ପାର୍ବତ୍ୟ ସଂକୁଳ–ଘନ ଅରଣ୍ୟପୂର୍ଣ୍ଣ । ଲଢ଼େଇ ହୁଏ ସ୍ଥାନେ ସ୍ଥାନେ । ସବୁଠାରୁ ଦୁଃଖର କଥା ଯେ ଆମେ ଏଇ ଟାରନାଟି ଅଞ୍ଚଳରେ ଓହ୍ଲାଇଛେ ।

 

ତା’ହେଲେ ଉପାୟ ? ମୁଲରାଡ଼ି ପଚାରିଲା ।

 

ଉପାୟ ଭଗବାନଙ୍କ ହାତରେ । ଭାଗ୍ୟ ଭଲ ଥିଲେ ବିଦ୍ରୋହୀମାନଙ୍କୁ ଏଡ଼ାଇ ଯାଇ ହେବ ।

 

ଏପରି ଭାବରେ ଆମକୁ ଯିବାକୁ ହେବ, ଯେପରି ଶୀଘ୍ର ଇଂରେଜ ସୈନ୍ୟଙ୍କ ନିକଟରେ ପହଞ୍ଚି ପାରିବା ।

 

ସେ ଆଶା ପ୍ରାୟ ନାହିଁ । କାରଣ ଏ ଅଞ୍ଚଳକୁ ଇଂରେଜ ସୈନ୍ୟମାନେ ଆସିବାକୁ ସାହାସ କରନ୍ତି ନାହିଁ କାରଣ ଅକ୍‌ଲ୍ୟାଣ୍ଡ ଆଖପାଖରେ ହୁଏତ ସେମାନଙ୍କ ଦେଖା ମିଳିପାରେ । ତାହା ଆଗରୁ ନୁହେଁ । ପ୍ୟାଗାନେଲ୍‍ କହିଲା ।

 

ତା’ହେଲେ ଆମେ ଉତ୍ତର ଦିଗରେ ସମୁଦ୍ର କୂଳେ କୂଳେ ଆଗେଇବା–ଲର୍ଡ କହିଲେ ।

 

ସେଇୟା ତ କରିବାକୁ ହେବ । କିନ୍ତୁ ସବୁବେଳେ ସମୁଦ୍ର କୂଳ ଧରି ଯିବା ହୁଏତ ସମ୍ଭବ ହେବନି । କାରଣ ହେଲା, ଛୋଟ ଛୋଟ ଅସଂଖ୍ୟ ପର୍ବତରେ ସମୁଦ୍ର କୂଳ ଅଗମ୍ୟ ହୋଇ ରହିଛି । ସେଇ ସବୁ ସ୍ଥାନରେ ବଣ ମଧ୍ୟ ଦେଇ ଯିବା ଛଡ଼ା ଅନ୍ୟ ଉପାୟ ନାହିଁ । ଶେଷରେ ଠିକ୍‌ ହେଲା ଦୈନିକ ଦଶମାଇଲ କରି ଚାଲି ଆଠ, ନଅ ଦିନରେ ଅକ୍‌ଲ୍ୟାଣ୍ଡରେ ପହଞ୍ଚିବାକୁ ହେବ ।

 

ରାତି ଅଧରେ ବର୍ଷା ବନ୍ଦ ହୋଇଗଲା ।

 

ସକାଳେ ଉଠି ସେମାନେ ଚାଲିବାକୁ ଆରମ୍ଭ କଲେ । ଜନ୍‍ ମ୍ୟାଙ୍ଗ୍‍ଲସ ଓ ଭୌଗୋଳିକ ଆଗେ ଆଗେ– ମଝିରେ ସ୍ତ୍ରୀ ଲୋକମାନେ ଓ ଶେଷରେ ମେଜର ।

 

ବାଲିରେ ଯେତେ ସମୟ ଚାଲିଲେ, ମନ୍ଦ ନୁହେଁ । କିନ୍ତୁ ବଣରେ ପହଞ୍ଚିବା ମାତ୍ରେ କଷ୍ଟର ସୀମା ରହିଲା ନାହିଁ । କେଉଁଠାରେ ଅବଶ୍ୟ କୌଣସି ମଣିଷର ଚଳ ପ୍ରଚଳ ହେବାର ଚିହ୍ନ ମିଳିଲା ନାହିଁ । କିନ୍ତୁ ଯେ କୌଣସି ମୁହୂର୍ତ୍ତରେ ସଶସ୍ତ୍ର ମାଉରୀ ବାହାରି ଆସିବେ–ଏଇ ଭୟରେ ସମସ୍ତେ ଭୀତତ୍ରସ୍ତ ହୋଇ ଚାଲିବାକୁ ଲାଗିଲେ । ପ୍ରାୟ ପ୍ରତ୍ୟେକଙ୍କ ହାତରେ ରିଭଲଭର । କେଉଁଠୁ ଖସ୍‌ ଖାସ୍‌ ଶଦ୍ଦ ହେଲେ ଚମକି ଉଠନ୍ତି ସେମାନେ ଠିଆ ହୁଅନ୍ତି–କାନପାତି ଶୁଣନ୍ତି–ପୁଣି ଚାଲନ୍ତି । ଚଲା ବାଟ ଛାଡ଼ି ଦୁର୍ଗମ ବାଟ ଧରିଲେ ଆହୁରି କଷ୍ଟ । ଏଇ ଜଙ୍ଗଲରେ ସୂର୍ଯ୍ୟକିରଣ ପଡ଼େ ନାହିଁ । କଣ୍ଟା ବାଜି ଦେହ ଲହୁଲୁହାଣ ହେଲା । ତେବେ ବି ଚାଲିବାକୁ ହେବ–ଅଟକିଲେ ଚଳିବ ନାହିଁ ।

 

କେତେବେଳେ ବାଲିମୟ ସମୁଦ୍ର କୂଳ, କେତେବେଳେ ରୁକ୍ଷ ପାହାଡ଼ ବାଟ–କେତେବେଳେ ଗହନ ବଣ–କେତେବେଳେ ବିଚିତ୍ର ଫୁଲରେ ଭରା ବୁଦୁ ବୁଦୁକିଆ ଜଙ୍ଗଲ । କେତେ ଫୁଲ ଫଳ–କେତେ ଅଜଣା ଗଛ ପତ୍ର–କେତେ ଅଦ୍‌ଭୁତ ପକ୍ଷୀ ।

 

ବାଟରେ ଥରେ କେତେଗୁଡ଼ିଏ ସାମୁଦ୍ରିକ ଚିଙ୍ଗୁଡ଼ି ମାଛ ଧରି ଭଜା କରି ଖାଇଲେ ସେମାନେ । ଝରଣାରୁ ପାଣି ପିଇଲେ ।

 

ପୁଣି ଚାଲିବାକୁ ଲାଗିଲେ ।

 

ରାତି ହେଲା କୌଣସି ଗୋଟିଏ ସ୍ଥାନ ବାଛି ନେଇ କେତେଜଣ ପହରା ଦିଅନ୍ତି– ଅନ୍ୟମାନେ ଶୁଅନ୍ତି । ପୁଣି ସକାଳ ହେଲେ ଚାଲିବା ଆରମ୍ଭ ହୁଏ ।

 

ଏହିପରି ଦିନ ପରେ ଦିନ ବିତିବାକୁ ଲାଗିଲା ।

 

ଗୋଟାଏ ଦୁଇଟା ସ୍ଥାନରେ ମାଟି ଭାରି ଗରମ ମନେ ହେଲା । କୌଣସି କୌଣସି ସ୍ଥାନରେ ଉଷ୍ଣ ପ୍ରସ୍ରବଣ ବାହାରୁଛି । ଟକମକ ଫୁଟନ୍ତା ପାଣି ବାହାରୁଛି ମାଟିତଳୁ । ଆଉ କି ବିକଟ ସେଇ ଗନ୍ଧକର ଗନ୍ଧ ! ଏ ଦେଶଟା ହେଉଛି ଆଗ୍ନେୟଗିରିର ଦେଶ । ଏଠାରେ ପ୍ରାୟ ପ୍ରତ୍ୟେକ ପାହାଡ଼ ଗୋଟାଏ ଗୋଟାଏ ଘୁମନ୍ତ ଆଗ୍ନେୟଗିରି । କୌଣସି କୌଣସି ପାହାଡ଼ରୁ ଧୂଆଁ ଓ ଲାଭାସ୍ରୋତ ବି ବାହାରୁଥାଏ ।

 

ସମୁଦ୍ର କୂଳରେ, ଗୋଟାଏ ଜାଗାରେ ସେମାନେ ଦେଖିଲେ କେତେ ଗୁଡ଼ାଏ ସିଲ୍‌ ମାଛ ଶୋଇ ଖରା ଖାଉଛନ୍ତି । ବିରାଟ ଚେହେରା ସେମାନଙ୍କର–ଲମ୍ୱ ପ୍ରାୟ ତିରିଶ ଫୁଟ ହେବ ।

 

ଦେଖିଲଣି ସେମାନେ କିପରି ଗୋଡ଼ି ପଥର ଖାଉଛନ୍ତି ? ରବର୍ଟ ଚିତ୍କାର କରି ଉଠିଲା ଅବାକ୍‌ ହୋଇ ।

 

ଭୋକ ଯୋଗୁଁ ସେମାନେ ଖାଉ ନାହାନ୍ତି, ଭୌଗୋଳିକ କହିଲା, ସେ ଗୁଡ଼ାକ ଖାଉଛନ୍ତି ଓଜନ ବଢ଼ାଇବା ପାଇଁ । ପାଣି ତଳକୁ ବୁଡ଼ିବାକୁ ସୁବିଧା ହୁଏ ଗୋଡ଼ି ଖାଇଲେ ଓଜନ ବଢ଼େ–ଆଉ ଟବ କରି ବୁଡ଼ି ହୁଏ । ଭାସି ଉଠିବା ପୂର୍ବରୁ ପୁଣି ଏଇ ଗୋଡ଼ି ଗୁଡ଼ାକ ତଳେ ବାନ୍ତି କରି ଦିଅନ୍ତି । ତା’ପରେ ଉପରକୁ ଉଠନ୍ତି ।

 

ପୂରାଦମରେ ସେମାନେ ଚାଲିବାକୁ ଲାଗିଲେ । ଏଥର ଆଗରେ ପଡ଼ିଲା ଗୋଟିଏ ବଡ଼ ନଈ । ନାଁ ଓୟାଇପା । ଭୌଗୋଳିକ ପ୍ୟାଗାନେଲ୍‍ ମାନଚିତ୍ର ବାହାର କରି ଦେଖିଲେ ଯେ ଏଇ ନଈ–ଯେଉଁଠି ଯାଇ ଓୟେଇକାଟୁ ନାମକ ଆଉ ଗୋଟିଏ ନଈରେ ମିଶିଛି–ସେଠାରୁ ଅକ୍‌ଲ୍ୟାଣ୍ଡ ବେଶୀ ଦୂର ନୁହେଁ । ସେଇ ସଙ୍ଗମ ସ୍ଥାନରେ ପହଞ୍ଚିଗଲେ ପ୍ରାୟ ତିନି ଭାଗ ବାଟ କଟିଯିବ ।

 

କୂଳେ କୂଳେ ଚାଲିବାର କଷ୍ଟ କିଛି କମିଗଲା । କେତେ ବାଟ ଯାଇ ଟିକିଏ ବିଶ୍ରାମ ନିଅନ୍ତି । ନଈ ପାଣିରେ ଗାଧୁଆ ପାଧୁଆ ସାରି, ଫଳ ଖାଇ ପୁଣି ଚାଲିବା ଆରମ୍ଭ କରନ୍ତି ।

 

ଲର୍ଡ ଗ୍ଳେନାରଭ୍ୟାନ୍‍ କହିଲେ, ଭାଗ୍ୟ ଭଲ, ଜଙ୍ଗଲୀ ମାଉରୀ ମହାପ୍ରଭୁମାନଙ୍କ ସଙ୍ଗେ ବୋଧହୁଏ ଆଉ ଦେଖା ହେବନି ।

 

ମୋର ମଧ୍ୟ ସେଇୟା ମନେ ହେଉଛି, ମେଜର କହିଲେ । ଦୁଇ ଶହ ମାଇଲ ମଧ୍ୟରେ ବୋଧହୁଏ ଏଠାରେ କୌଣସି ଲୋକ ବସତି ନାହିଁ । ଭଲରେ ଭଲରେ ଅକ୍‌ଲ୍ୟାଣ୍ଡରେ ପହଞ୍ଚି ପାରିଲେ ଯାଇ ରକ୍ଷା ।

 

ସମସ୍ତଙ୍କ ମନରେ ଶାନ୍ତି ଫେରି ଆସିଲା । ମାଉରୀ ଭୟ ଆଉ ରହିଲାନି । ନରମାଂସାଶୀଙ୍କ କବଳରେ ବୋଧହୁଏ ଆଉ ପଡ଼ିବାକୁ ହେବନି ।

 

ସନ୍ଧ୍ୟା ହୋଇ ଆସିଲା । ଗୋଟାଏ ଜାଗା ବାଛି ନେଇ ରାତି ପାଇଁ ସମସ୍ତେ ଶୋଇ ପଡ଼ିଲେ । ଅଳ୍ପ ସମୟ ପରେ ଗଭୀର ନିଦରେ ସମସ୍ତେ ଶୋଇ ପଡ଼ିଲେ ।

 

–ପାଞ୍ଚ–

 

ତା’ ଆରଦିନ ସକାଳ ।

 

ଓୟେଇକାଟୁ ନଦୀ କୂଳର ଘନ କୁହୁଡ଼ି ସକାଳ ସୂର୍ଯ୍ୟର କିରଣରେ ଧୀରେ ଧୀରେ ମିଳାଇ ଯାଉଥିଲା । ଧୀରେ ଧୀରେ ପବନ ବହୁଛି ।

 

କୁହୁଡ଼ି କଟିଯିବାରୁ ଦେଖାଗଲା, ନଈରେ ଗୋଟିଏ ନୌକା ଯାଉଛି–ଲମ୍ୱ ପ୍ରାୟ ପଚିଶ ଫୁଟ, ଚଉଡ଼ା ପାଞ୍ଚ ଫୁଟ । ତର ତର ହୋଇ ଖୁବ୍‌ ଜୋରରେ କାତ ମାରି ବାହି ଚାଲିଛନ୍ତି ଆଠ ନ ଜଣ ଜଙ୍ଗଲୀ । ମଙ୍ଗ ଧରି ବସିଛି ଜଣେ ଭୀଷଣ ଆକୃତିର ମାଉରୀ । ତା’ର ପୋଷାକ ପରିଚ୍ଛଦ–କାନରେ କାଠର ଗହଣା, ଗଳାରେ ପଥରର ମାଳା, କପାଳରେ ଲମ୍ୱା ଲମ୍ୱା ଶୁଖିଲା କ୍ଷତ ଚିହ୍ନ ଓ ଚାରିଆଡ଼େ ବିଚିତ୍ରଚିତା ଦେଖି ବୁଝାଗଲା ସେ ଜଣେ ସର୍ଦ୍ଦାର । ଲୋକଟା ଯେପରି ବଳିଷ୍ଠ, ସେହିପରି ଶକ୍ତିଶାଳୀ । ନିଜେ ମଙ୍ଗ ଧରି ବସିଛି–ତେଣୁ ଅନୁମାନ ଲୋକଟା ବୋଧହୁଏ ଜଣେ ଜଙ୍ଗଲୀ ସର୍ଦ୍ଦାର ହେବ । ବାଁ ପାଖରେ ପଡ଼ିଛି ଗୋଟିଏ ବିଲାତି ବନ୍ଧୁକ । ଅଣ୍ଟାରେ ରହିଛି ଏକ ଦାଢ଼ୁଆ କଟୁରୀ । ତା’ ଆଗରେ ଦଶ ଜଣ ଭୀମକାୟ ସୈନ୍ୟ ବସିଛନ୍ତି । ସେମାନଙ୍କ ଦେହରେ ନାନା ସ୍ଥାନରେ କ୍ଷତ, ଲତାପତ୍ର ଦେଇ ବନ୍ଧା ହୋଇଛି । କାଠ କଣ୍ଢେଇ ପରି ବସିଛନ୍ତି ସେମାନେ । ସର୍ଦ୍ଦାରର ଗୋଡ଼ ପାଖରେ ତିନୋଟି ହିଂସ୍ର କୁକୁର ମୁହଁ ଗୁଞ୍ଜି ଶୋଇଛନ୍ତି । ଯେଉଁମାନେ କାତ ମାରୁଛନ୍ତି ସେମାନେ ନିଶ୍ଚୟ ସର୍ଦ୍ଦାରର ଚାକର । ଆଉ ନୌକାର ଠିକ୍‌ ମଝିରେ ବସିଛନ୍ତି ଇଉରୋପୀୟ ବନ୍ଦୀମାନେ । ସମସ୍ତଙ୍କ ପାଦ ଲତାପତ୍ରଦ୍ୱାରା ବନ୍ଧା ହୋଇଛି ।

 

ଏଇ ବନ୍ଦୀମାନେ ହେଲେ ଆମର ପୂର୍ବ ପରିଚିତ ଲର୍ଡ ଗ୍ଳେନାରଭ୍ୟାନ୍‍ ଓ ତାଙ୍କ ସ୍ତ୍ରୀ ଲେଡି ହେଲେନା, ମେରୀ, ରବର୍ଟ, ପ୍ୟାଗାନେଲ୍‍, ଜନ୍‍ ମ୍ୟାଙ୍ଗ୍‍ଲସ, ମେଜର, ଆଲବିନେଟ ଓ ଆଉ କେତେଜଣ ନାବିକ ।

 

ଅଦୃଷ୍ଟର ପରିହାସ ନୁହେଁ ତ ଆଉ କ’ଣ ? ରାତିରେ ଯେତେବେଳେ ସେମାନେ ଭାବିଥିଲେ ଯେ ଆଉ ମାଉରୀମାନଙ୍କ ଭୟ ନାହିଁ ଏବଂ ନିଶ୍ଚିନ୍ତରେ ସମସ୍ତେ ଶୋଇ ପଡ଼ିଥିଲେ, ଠିକ୍‌ ସେଇ ସମୟରେ ଜଙ୍ଗଲୀମାନେ ଆସି ସେମାନଙ୍କୁ ବନ୍ଦୀ କରି ପକାଇଲେ । ଅନ୍ଧାରରେ ସେମାନେ ଜାଣିପାରି ନଥିଲେ ଯେ ଯେଉଁଠାରେ ସେମାନେ ରହିବେ ବୋଲି ଠିକ୍‌ କରିଛନ୍ତି–ତାରି ପାଖରେ ପଡ଼ିଛି ଏଇ ମାଉରୀମାନଙ୍କର ସାମରିକ ଛାଉଣୀ ।

 

ଜଙ୍ଗଲୀମାନେ କୌଣସି ପ୍ରକାର ଖରାପ ବ୍ୟବହାର କରି ନାହାନ୍ତି । କେବଳ ନୌକାକୁ ଆଣି ଯାହା ପାଦ ବାନ୍ଧି ଦେଇଛନ୍ତି । ତା’ପରେ ଆରମ୍ଭ ହେଲା ଅଜଣା ସ୍ଥାନକୁ ଯାତ୍ରା । ଅତି ଦୁଃଖରେ ସମସ୍ତେ ଯେପରି ପଥର ପାଲଟି ଯାଇଛନ୍ତି । ବନ୍ଧୁକ, ରିଭଲଭର ସବୁ ଆଗରୁ କାଢ଼ି ନେଇଥିଲେ ସେମାନେ । ସୁତରାଂ ନିରସ୍ତ୍ର ଓ ଅସହାୟ ହୋଇ ନିଜକୁ ଭବିଷ୍ୟତ ହାତରେ ଛାଡ଼ି ଦେଇ ଚୁପ୍‌ଚାପ୍‍ ବସିଛନ୍ତି ସମସ୍ତେ ।

 

ସେମାନଙ୍କର ଜଙ୍ଗଲୀ ଭାଷାର କଥାବାର୍ତ୍ତାରେ କିଛି କିଛି ଇଂରାଜୀ ଶଦ୍ଦ ଥିଲା । ସେଥିରୁ ଜଣାଗଲା ଯେ ମାଉରୀ ସର୍ଦ୍ଦାର ଦଳବଳ ନେଇ ଇଂରେଜମାନଙ୍କ ସଙ୍ଗେ ଯୁଦ୍ଧ କରିବାକୁ ଯାଇଥିଲା । ବେଶ୍‌ ଜଖମ୍‌ ଓ ପରାଜିତ ହୋଇ ଫେରି ଯାଉଛି ଦଳକୁ–ପୁଣି ସୈନ୍ୟ ଯୋଗାଡ଼ କରି ଫେରିବ ଉଇଲିୟମ ଟମ୍‌ସନ୍‌ଙ୍କ ନେତୃତ୍ୱରେ ଚାଲିଥିବା ଯୁଦ୍ଧକୁ ।

 

ଏଇ ସର୍ଦ୍ଦାରର ନାମ ହେଉଛି କୈ–କଉ–ମଉ–ଯାହାର ଜଙ୍ଗଲୀମାନେ ହେଉଛି, “ଯିଏ ଶତ୍ରୁମାନଙ୍କ ଠେଙ୍ଗା ଖାଇବାକୁ ଭଲପାଏ ।” ଲୋକଟା ଖାଲି ବଳୁଆ ନୁହେଁ, ଖୁବ୍‌ ହିଂସ୍ର ଓ ନିଷ୍ଠୁର ସ୍ୱଭାବର । ତା’ଠି ଦୟାମାୟା ବୋଲି କିଛି ଜିନିଷ ନାହିଁ । ଇଂରେଜ ସୈନ୍ୟମାନେ ବି ତା’ ନାଁ ଶୁଣି ଭୟରେ କମ୍ପି ଉଠନ୍ତି । ଯିଏ ଏଇ ରାକ୍ଷସ ସର୍ଦ୍ଦାରର ମୁଣ୍ଡ କାଟି ଆଣି ପାରିବ ତାକୁ ପୁରସ୍କାର ଦିଆଯିବ ବୋଲି ନିଉଜିଲ୍ୟାଣ୍ଡର ଗଭର୍ଣ୍ଣର ଘୋଷଣା କରିଛନ୍ତି ।

 

ମୃତ୍ୟୁ ନିଧାର୍ଯ୍ୟ । ଇଂରେଜମାନେ ବନ୍ଦୀ ହୋଇ ଭାବୁଥିଲେ ଆଉ ଭାବି ଭାବି ଶିହରି ଉଠୁଥିଲେ– ଉଃ କି ଭୀଷଣ ମୃତ୍ୟୁ ନ ହେବ ଏଇ ନିଷ୍ଠୁର ହିଂସ୍ର ନରମାଂସାଶୀ ସର୍ଦ୍ଦାର ହାତରେ ! ଜୀଅନ୍ତା ଧରି ହୁଏତ କାମୁଡ଼ି କାମୁଡ଼ି ଖାଇବ ସେମାନଙ୍କୁ । ଭିତରେ ଭିତରେ ଭୟ ପାଇଲେ ବି ବାହାରେ କିନ୍ତୁ ନିର୍ଲିପ୍ତ ଭାବ ରଖି ଥାଆନ୍ତି ସେମାନେ । ଶେଷରେ ଲର୍ଡ ଗ୍ଳେନାରଭ୍ୟାନ୍‍ ସର୍ଦ୍ଦାରକୁ ଲକ୍ଷ୍ୟ କରି ଶାନ୍ତ ଭାବରେ ପଚାରିଲେ, ଆମକୁ କୁଆଡ଼େ ନେଇ ଯାଉଛ ସର୍ଦ୍ଦାର ?

 

କୈ–କଉ–ମଉ କଟ ମଟ କରି ଚାହିଁଲା । କିନ୍ତୁ କୌଣସି ଉତ୍ତର ଦେଲା ନାହିଁ ।

 

ଆମକୁ ନେଇ କ’ଣ କରିବ ତୁମେ ? ପୁଣି ଲର୍ଡ ପଚାରିଲେ ।

 

କ୍ରୁଦ୍ଧ ଦୃଷ୍ଟିରେ ଚାହିଁ ସର୍ଦ୍ଦାର କହିଲା, ତୁମ ଜାତି ଭାଇମାନେ ଯଦି ବନ୍ଦୀ ବଦଳ କରିବାକୁ ଚାହାଁନ୍ତି ତେବେ ତୁମମାନଙ୍କୁ ଫେରାଇ ଦେବି । ଆଉ ସେମାନେ ଯଦି ରାଜି ନ ହୁଅନ୍ତି ତମକୁ ସବୁ ଗୋଟି ଗୋଟି କରି ମାରିବି ।

 

ଆଉ କିଛି ପଚାରିବାକୁ ଇଚ୍ଛା ହେଲା ନାହିଁ ଲର୍ଡ ଗ୍ଳେନାରଭ୍ୟାନ୍‍ଙ୍କର । ଜଣାଗଲା ଅନେକ ମାଉରୀ ସର୍ଦ୍ଦାର ଇଂରେଜମାନଙ୍କ ହାତରେ ବନ୍ଦୀ ହୋଇଛନ୍ତି । ସେମାନଙ୍କ ସଙ୍ଗେହିଁ ସେମାନେ ବନ୍ଦୀ ବଦଳ କରିବାକୁ ଚାହାଁନ୍ତି ।

 

ଓୟେଇକାଟୁ ନଈ ହେଉଛି ସେମାନଙ୍କ ପକ୍ଷରେ ଗର୍ବର ଚିହ୍ନ । କାରଣ ଏ ପାଖକୁ ଏ ପର୍ଯ୍ୟନ୍ତ କୌଣସି ବିଦେଶୀ ଆଗେଇବାକୁ ସାହସ କରିନି । ଏହିଠାରେ ରହି ମାଉରୀମାନେ ଯୁଦ୍ଧ ଚଳାଉଛନ୍ତି ।

 

କିନ୍ତୁ ସର୍ଦ୍ଦାର କୁଆଡ଼େ ନେଇ ଚାଲିଛି ସେମାନଙ୍କୁ ? ମାଉରୀମାନଙ୍କ କଥାବାର୍ତ୍ତାରେ ପ୍ରାୟ ‘ଟାଇପୁ’ ଶଦ୍ଦଟା ଶୁଣା ଯାଉଥିଲା । ଭୌଗୋଳିକ ମାନଚିତ୍ର ଖୋଲି ଦେଖିଲା ତାହା ପ୍ରାୟ ୧୦୦ ମାଇଲ ଦୂରର ଗୋଟାଏ ବିରାଟ ହ୍ରଦର ନାଁ । ଜଣା ପଡ଼ିଲା ସେ ସେଇଠାକୁ ହୁଏତ ସେମାନଙ୍କୁ ନେଇଯାଉଛି ।

 

ଦିନସାରା ଡଙ୍ଗା ଚାଲିଲା । ସନ୍ଧ୍ୟାରେ ଗୋଟାଏ ସ୍ଥାନରେ ସମସ୍ତେ ଓହ୍ଲାଇଲେ । ବନ୍ଦୀମାନଙ୍କୁ ମାଉରୀ ସୈନ୍ୟମାନେ ନେଇଯାଇ ଗୋଟାଏ ଜାଗାରେ ବସାଇ ତା’ ଚାରିପାଖରେ ନିଆଁ ଜାଳିଲେ । ଆଉ କଡ଼ା ପହରା ଦେବାକୁ ଲାଗିଲେ । ସର୍ଦ୍ଦାରକୁ ଗୋଟାଏ ଛାଉଣୀ କରିଦେଲେ ।

 

ପରଦିନ ସକାଳେ ପୁଣି ଯାତ୍ରା ଆରମ୍ଭ ହେଲା । ସେମାନଙ୍କୁ ସେଦିନ ରାତିରେ ପୋଡ଼ା ମାଂସ ଖାଇବାକୁ ଦିଆ ହୋଇଥିଲା କିନ୍ତୁ ସେମାନେ ତାହା ଛୁଇଁଲେ ନାହିଁ । କିଏ ଜାଣେ ତାହା ମଣିଷ ମାଂସ କି ନୁହେଁ ?

 

ଦ୍ୱତୀୟ ଦିନ ରାତିରେ ଆଉ ଗୋଟାଏ ଡଙ୍ଗା ଆସି ଯୋଗଦେଲା ସେମାନଙ୍କ ସଙ୍ଗେ । ସେଥିରେ ବି ରହି ଥାଆନ୍ତି କେତେଗୁଡ଼ିଏ ଆହତ ମାଉରୀ ଆଉ ଜଣେ ସର୍ଦ୍ଦାର । ସେଇ ଡଙ୍ଗାର ସର୍ଦ୍ଦାର ଆସି କୈ–କଉ–ମଉର ନାକ ସଙ୍ଗେ ନାକ ଘଷି ଅଭିବାଦନ ଜଣାଇଲା । ତା’ପରେ ସେମାନଙ୍କୁ କିଛି ଫଳମୂଳ ଖାଇବାକୁ ଦିଆଗଲା । ସମସ୍ତେ ଖାଇପିଇ ଶୋଇ ପଡ଼ିଲେ ।

 

ତା’ପରେ ଆହୁରି କେତୋଟି ଡଙ୍ଗା ଆସି ଯୋଗଦେଲା । ସବୁ ଡଙ୍ଗା ଆହତ ସୈନ୍ୟରେ ଭର୍ତ୍ତି ହୋଇଥାଏ । ନଈରେ ଚାଲୁଥିବାବେଳେ ମନେ ହେଉଥାଏ ଯେପରି ବିରାଟ ଏକ ‘ନୌବାହୀନୀ’ ଚାଲିଛି ।

 

ମଝିରେ ମଝିରେ ସେମାନେ ସେମାନଙ୍କ ଜାତୀୟ ସଙ୍ଗୀତ ‘ପୀହେ’ ଗାଇ ଗାଇ ନୌକା ଚଳାଉଥାନ୍ତି । ସଙ୍ଗୀତଟା ହେଲା–

 

–ପାପା ରାଟି ଓୟାଟି ଟିଡି

 

ଆଇ ଡାଇଙ୍ଗା ନେଇ–

 

ସମବେତ କଣ୍ଠର ସେଇ ବିକଟ ସଙ୍ଗୀତ ଆଖପାଖ ପାହାଡ଼ରେ ପ୍ରତିଧ୍ୱନିତ ହୋଇ ଅବସ୍ଥା ଆହୁରି ଭୟାବହ କରିଦେଲା ।

 

ରାତିରେ ବିଶ୍ରାମ ନେଇ ପୁଣି ଦିନରେ ଯାତ୍ରା ଆରମ୍ଭ ହୁଏ । କେତେଦିନ ଏହିପରି ଭାବରେ ଚାଲିଲା । ଗୋଟାଏ ଜାଗାରେ ବିସ୍ମୟକର ଦୃଶ୍ୟ ସେମାନେ ଦେଖିବାକୁ ପାଇଲେ ।

 

ପ୍ରାୟ ଦୁଇମାଇଲ ଧରି ନଈ ପାଣି ଯେପରି ଟକମକ ହୋଇ ଫୁଟୁଛି–ଗରମ ବାମ୍ପରେ ଚାରିଆଡ଼ ଆଚ୍ଛନ୍ନ । କୂଳରେ କାଦୁଅ ଫଟ ଫଟ କରି ଫୁଟୁଛି–ସେଥିରେ ପଡ଼ିଲେ ଆଉ ରକ୍ଷା ନାହିଁ-। କୌଣସି ଆଗ୍ନେୟଗିରିର ଲାଭାସ୍ରୋତ ଆସି ଏଠାରେ ନଈ ପାଣିକୁ ହୁଏତ ଏପରି ଗରମ କରି ଦେଇଛି । ଗନ୍ଧକର ବିକଟ ଗନ୍ଧରେ ନାକ ଫାଟିଯିବ ଯେପରି ! ମୁଣ୍ଡ ବୁଲାଇବାକୁ ଆରମ୍ଭ କଲା ।

 

ତା’ପରେ ପୁଣି ଆସିଲା ଥଣ୍ଡା ନଈ, ପାଣି ।

 

ଛ’ଦିନ ଦିନ ଦେଖାଗଲା ସେଇ ହ୍ରଦ । ଡାହାଣ ପାଖରେ ବିରାଟ ପର୍ବତମାଳା ନଈ କୂଳକୁ ଲାଗି ଉଠିଯାଇଛି ଆକାଶ ଆଡ଼କୁ । ମାଇଲ୍‌ ପରେ ମାଇଲ୍‍ ଧରି ଖାଲି ପର୍ବତମାଳା ।

 

ସେଇ ପାହାଡ଼ ଉପରେ ଦେଖାଗଲା କେତେ ଗୁଡ଼ିଏ କୁଡିଆ–ଚାରିପାଖ ପାଚେରୀ ଦେଇ ଘେରା । ଏଗୁଡ଼ିକ ହେଉଛି ମାଉରୀ ସର୍ଦ୍ଦାରଙ୍କ ଦୁର୍ଗ–ମାଉରୀ ଭାଷାରେ ଏହାକୁ ‘ପାହ’ କହନ୍ତି ।

 

ଦୁର୍ଗ ଉପରେ ଗୋଟାଏ କନା ଉଡ଼ୁଛି–ସେମାନଙ୍କ ଜାତୀୟ ପତାକା । ମାଉରୀମାନେ ଖୁବ୍‌ ଅଦ୍‌ଭୁତ ଭାଷାରେ ତାକୁ ଅଭିବାଦନ ଜଣାଇଲେ ।

 

ସୂର୍ଯ୍ୟ ବୁଡ଼ିବ ବୁଡ଼ିବ ହେଉଛି–ଏପରି ସମୟରେ ନୌକା କୂଳରେ ଲାଗିଲା । କଡ଼ା ପହରାରେ ବନ୍ଦୀମାନଙ୍କୁ ଦୁର୍ଗମ ଉଠାଣି ରାସ୍ତା ଦେଇ ସେଇ ଦୁର୍ଗ ଆଡ଼କୁ ନିଆଗଲା ।

 

ଦେହରେ ବା ମନରେ ଯେପରି କୌଣସି ଚେତନା ନାହିଁ ଏପରି ଭାବରେ ଇଂରେଜ ବନ୍ଦୀମାନେ ଚାଲିବାକୁ ଲାଗିଲେ ।

 

–ଛଅ–

 

ଅବଶେଷରେ ଦୁର୍ଗରେ ବା ‘ପାହ’ରେ ସେମାନେ ପହଞ୍ଚିଲେ ।

 

କେତେଗୁଡ଼ିଏ ଇତସ୍ତତଃ ବିକ୍ଷିପ୍ତ ଲତାପତ୍ର ଘର ଦ୍ୱାରା ଏଇ ‘ପାହ’ ଗଠିତ । ଚାରି ଦିଗରେ ଘେରି ରହିଛି ତିନି ପ୍ରସ୍ଥ ପାଚେରୀ । ପ୍ରଥମେ ପ୍ରାୟ ପନ୍ଦରଫୁଟ ଉଚ୍ଚା ପଥରର କାନ୍ଥ । ତା’ ଭିତରେ କାଠର କାନ୍ଥ ଓ ତା’ପରେ ମାଟି କାନ୍ଥ ।

 

ଶ୍ୱେତକାୟ ବନ୍ଦୀମାନେ ପହଞ୍ଚି ପ୍ରଥମେ ଯେଉଁ ଦୃଶ୍ୟ ଦେଖିବାକୁ ପାଇଲେ, ସେଥିରେ ସେମାନଙ୍କର ରକ୍ତ ପାଣି ହୋଇଗଲା । ପଥର କାନ୍ଥରେ ଠାଏ, ଠାଏ ଝୁଲା ହୋଇ ରହିଛି ମଣିଷ ମୁଣ୍ଡ ସବୁ । ଲେଡି ହେଲେନା ଓ ମେରୀ ଭୟରେ ଆଖି ବୁଜି ଦେଲେ । ଝୁଲା ହୋଇଥିବା ମଣିଷ ମୁଣ୍ଡ ସବୁ ହେଉଛି ଯୁଦ୍ଧବନ୍ଦୀମାନଙ୍କର ମୁଣ୍ଡ–ଏଇ ମୁଣ୍ଡମାନଙ୍କ ଭିତରୁ କେତେ ଗୁଡ଼ିଏ ସାହେବମାନଙ୍କର । ଆଖି ସବୁ ଉପାଡ଼ି ନିଆହୋଇଛି । ଚମଡ଼ା ନାହିଁ । ସେମାନେ ସେମାନଙ୍କର ନିଜସ୍ୱ ପ୍ରକ୍ରିୟାରେ ଧୂଆଁ ସାହାଯ୍ୟରେ ଏଇ ମୁଣ୍ଡ ଗୁଡ଼ିକୁ ମମୀ ପରି ଚିରସ୍ଥାୟୀ କରି ଝୁଲାଇ ରଖିଛନ୍ତି ।

 

କୈ–କଉ–ମଉ ଘରଟି ଖାଲି ଲତା ପତ୍ର ଫୁଲ ଦ୍ୱାରା ସଜ୍ଜା ହୋଇଛି । ଘରଗୁଡ଼ିକର ଫାଙ୍କରେ, ଫାଙ୍କରେ ପ୍ରଶସ୍ତ ଉଠାଣି । ବନ୍ଦୀମାନଙ୍କୁ ନେଇ ରଖାଗଲା ପାହାଡ଼ ଉପରେ ଥିବା ସବା ଶେଷ କୁଡ଼ିଆରେ । ଦୁଆର ମୁହଁରେ ସପର ପର୍ଦ୍ଦା । ବାହାରେ ମାଉରୀମାନଙ୍କ କଡ଼ା ପହରା ।

 

କବାଟ ଫାଙ୍କ ଦେଇ ସେମାନେ ଦେଖିବାକୁ ପାଇଲେ ଶହ ଶହ ପିଲା, ବୁଢ଼ା, ସ୍ତ୍ରୀ ସର୍ଦ୍ଦାରକୁ ଘେରିଯାଇ ନାନା ପ୍ରକାର କଥାବାର୍ତ୍ତା ଓ ଚିତ୍କାର କରୁଛନ୍ତି । ଯୁଦ୍ଧ କ୍ଷେତ୍ରରୁ ସର୍ଦ୍ଦାର ପ୍ରଥମେ ଫେରି ଆସିଛି । ତା’ ମୁହଁରୁ ପରାଜୟ ଓ ମୃତମାନଙ୍କ ସମ୍ୱାଦ ଶୁଣି ମୃତମାନଙ୍କ ଆତ୍ମୀୟ ସ୍ୱଜନ ଚିତ୍କାର କରି କାନ୍ଦିବାକୁ ଲାଗିଲେ । ମାଉରୀମାନଙ୍କର ଶୋକ କରିବାର ପ୍ରକ୍ରିୟା ଅଲଗା । ସ୍ତ୍ରୀମାନେ ଆତ୍ମୀୟ ବିୟୋଗ ଖବର ଶୁଣିବା ମାତ୍ରେ ଦାଢ଼ୁଆ ପଥରଦ୍ୱାରା ନିଜର ନାକ, ମୁଣ୍ଡ, କପାଳ, ହାତ, ପାଦ ଖଣ୍ଡିଆ କରି ପକାଇ ପାଟି କରି କାନ୍ଦିବାକୁ ଆରମ୍ଭ କଲେ । କ୍ଷତ ଦେଇ ରକ୍ତ ବାହାରୁଥାଏ, ଆଉ ଅଶ୍ରାବ୍ୟ କାନ୍ଦଣାରେ ସ୍ଥାନଟି ନରକ ପରି ହୋଇ ଉଠୁଥାଏ ।

 

ବନ୍ଦୀ ଇଂରେଜମାନଙ୍କ ଦେହରେ ଆଉ ପ୍ରାଣ ରହିଲାନି । ପ୍ରତି ମୁହୂର୍ତ୍ତରେ ସେମାନେ ଆଶଙ୍କା କରିବାକୁ ଲାଗିଲେ ଯେ ଏଇ ସବୁ ଶୋକାଗ୍ରସ୍ତ କ୍ରୁଦ୍ଧ ମାଉରୀମାନେ ଆସି ସେମାନଙ୍କୁ ଆକ୍ରମଣ କରି, ଜୀଅନ୍ତା ଛିଣ୍ଡାଇ ଟିକି ଟିକି କରି ଖାଇଦେବେ ।

 

କୈ–କଉ–ମଉ ସେମାନଙ୍କୁ କ’ଣ ଯେପରି ବୁଝାଇବାକୁ ଲାଗିଲା । ଲୋକେ ଶୁଣୁଥାନ୍ତି-। କିନ୍ତୁ ମଝିରେ ମଝିରେ ଅଧୈର୍ଯ୍ୟ ଓ ଉତ୍ତେଜିତ ହୋଇ ଉଠୁଥାନ୍ତି ।

 

ହେଲେନା ଓ ମେରୀ କାନ୍ଦିବାକୁ ଲାଗିଲେ । ଲର୍ଡ ଗ୍ଳେନାରଭ୍ୟାନ୍‍ ସେମାନଙ୍କୁ ସାନ୍ତ୍ୱନା ଦେଇ କହିଲେ, ଭୟ କରନି । ଭଗବାନଙ୍କ ଉପରେ ଆସ୍ଥା ରଖ ।

 

ଲେଡି ହେଲେନା ପୋଷାକ ଭିତରୁ ଗୋଟିଏ ରିଭଲଭର ବାହାର କରି ସ୍ୱାମୀଙ୍କ ହାତରେ ଦେଇ କହିଲେ–ମାଉରୀମାନେ ମୋତେ ଖାନତଲାସ କରି ନାହାନ୍ତି । ତେଣୁ ଏଇଟି ସେମାନଙ୍କ କବଳରୁ ବଞ୍ଚି ଯାଇଛି । ଜୀବନଠାରୁ ମାନ ଇଜ୍ଜତ ବଡ଼ । ଯଦି ଏଇ ମାଉରୀମାନେ ଆମମାନଙ୍କ ଇଜ୍ଜତ ନେବା ପାଇଁ ବସନ୍ତି, ତା’ ଆଗରୁ ମୋତେ ଆଉ ମେରୀକୁ ଗୁଳି କରିଦେବ । ସେଇ ମରଣରେ ଆମର ଅସମ୍ମାନ ହେବ ନାହିଁ ।

 

ଏଇ ସମୟରେ ଜଣେ ମାଉରୀ ସୈନ୍ୟ ଆସି ବାହାରକୁ ଯିବା ପାଇଁ ଇଙ୍ଗିତ ଦେଲା । ସର୍ଦ୍ଦାର ସେମାନଙ୍କୁ ଡାକୁଛି ।

 

ସେମାନେ ସମସ୍ତେ କୈ–କଉ–ମଉ ପାଖକୁ ଗଲେ । ମାଉରୀମାନେ ସେତେବେଳକୁ ଚାଲିଗଲେଣି । କୈ–କଉ–ମଉ ପାଖରେ ଠିଆ ହୋଇଛି ସେମାନଙ୍କ ସଙ୍ଗେ ଅନ୍ୟ ନୌକାରେ ଆସିଥିବା ଆଉ ଏକ ସର୍ଦ୍ଦାର । ତା’ ନାଁ କାର–ଟେଟି । ତା’ର ଚେହେରା ଆହୁରି ଭୀଷଣ–ଦେଖିବାକୁ ଠିକ୍‌ ରାକ୍ଷସ ପରି । ବର୍ତ୍ତମାନ ଏଇ ଦୁଇ ସର୍ଦ୍ଦାର ଏକାଠି ହୋଇଛନ୍ତି ସତ, କିନ୍ତୁ ଏଇ ଦୁଇ ଜଣଙ୍କ ମଧ୍ୟରେ ବିଶେଷ ସଦ୍‌ଭାବ ଯେ ନାହିଁ ତା’ର ଆଭାସ ଆଗରୁ ମିଳିଛି । ନେତୃତ୍ୱ ନେଇ ଖୁବ୍‌ କଷାକଷି ଚାଲିଛି ଏଇ ଦୁଇ ସର୍ଦ୍ଦାରଙ୍କ ମଧ୍ୟରେ ।

 

କୈ–କଉ–ମଉ ଲର୍ଡ ଗ୍ଳେନାରଭ୍ୟାନ୍‍ଙ୍କୁ ପ୍ରଶ୍ନକଲା, ତୁମେମାନେ କ’ଣ ଇଂରେଜ ?

 

ହଁ । ଲର୍ଡ ଉତ୍ତର ଦେଲା । ଆମ ଜାହାଜଟି ବୁଡ଼ି ଯିବାରୁ ଏଠାକୁ ଆସିଛୁ । ଯୁଦ୍ଧ ସଙ୍ଗେ ଆମର କୌଣସି ସଂପର୍କ ନାହିଁ ।

 

ନାଲି ଆଖି କରି କାରା–ଟେଟି କହି ଉଠିଲା, ସମଗ୍ର ଇଂରେଜ ଜାତି ଆମର ଶତ୍ରୁ । ଆମ ଦେଶକୁ ଜାଳିପୋଡ଼ି ପାଉଁଶ କରି ସାରିଲଣି ତୁମେମାନେ ।

 

ସତରେ ସେମାନେ ଅନ୍ୟାୟ କରୁଛନ୍ତି, ଗ୍ଳେନାରଭ୍ୟାନ୍‌ ଆନ୍ତରିକ ଭାବରେ କହିଲେ ।

 

ଶୁଣ–କୈ–କଉ–ମଉ କହିଲା, ଆମମାନଙ୍କର ପ୍ରଧାନ ଟହୋଙ୍ଗା ତୁମ ଲୋକଙ୍କ ହାତରେ ବନ୍ଦୀ ହୋଇଛନ୍ତି । ସେଇ ଦିନଠୁ ଆମ ଦେହ ରାଗରେ ଜଳୁଛି । ଇଚ୍ଛା ହେଉଛି ତୁମମାନଙ୍କୁ ଟିକି ଟିକି କରି ଛିଣ୍ଡାଇ ପକାଇ ତା’ର ପ୍ରତିଶୋଧ ନିଅନ୍ତି ।

 

ସର୍ଦ୍ଦାରର ବିରାଟ ଦେହ ପ୍ରକୃତରେ ରାଗରେ ଠକ୍‌ ଠକ୍‌ କରି କମ୍ପିବାକୁ ଲାଗିଲା । ବହୁତ କଷ୍ଟରେ ରାଗ ସଂବରଣ କରି ସେ କହିଲା, ତୁମମାନଙ୍କୁ ଛାଡ଼ି ଦେଇ ପାରିବି–ଯଦି ଆମ ପୁରୋହିତଙ୍କୁ ଫେରି ପାଏ । ରାଜି ହେବେତ ସେମାନେ ?

 

ମୁଁ ସେ କଥା କିପରି କହି ପାରିବି ?

 

ତୁମେ କହି ପାରିବନି–ନା ? ପୁଣି ଖୁବ୍‌ ରାଗିଗଲା କୈ–କଉ–ମଉ–ତା’ହେଲେ ତୁମମାନଙ୍କର ମୁଣ୍ଡ ଆଉ ରହିବ ନାହିଁ ।

 

ଏଇ ସମୟରେ ଗୋଟିଏ କାଣ୍ଡ ଘଟିଗଲା । ସର୍ଦ୍ଦାର କାରା–ଟେଟି ହଠାତ୍‌ ହେଲେନାଙ୍କ ହାତ ଧରି ପକାଇ କହିଲା, ମୁଁ ଏହାକୁ ବିଭା ହେବି ।

 

ସଙ୍ଗେ ସଙ୍ଗେ ଲର୍ଡ ଗ୍ଳେନାରଭ୍ୟାନ୍‍ ପକେଟରୁ ରିଭଲଭର ବାହାର କରି ଗୋଟିଏ ଗୁଳିରେ ଶେଷ କରିଦେଲା ସର୍ଦ୍ଦାରକୁ । ଆଖି ପିଛୁଳାକେ ତା’ର ପ୍ରାଣହୀନ ବିଶାଳ ଦେହ ମାଟିରେ ଲୋଟି ପଡ଼ିଲା । ଗୁଳି ଶଦ୍ଦ ଶୁଣି ଚାରିଆଡ଼ୁ ଅସଂଖ୍ୟ ସଶସ୍ତ୍ର ମାଉରୀ ଆଗେଇ ଆସିଲେ–ସେମାନଙ୍କୁ ମାରିବାକୁ । ଏଇ ସମୟରେ କୈ–କଉ–ମଉର ଚିତ୍କାର ଶୁଣାଗଲା–ଟେବୁ ! ଟେବୁ !

 

ଏଇ କଥା ପଦକ ଯେପରି ମନ୍ତ୍ରପରି କାମ ଦେଲା । ହିଂସ୍ର ଜନତା ଯେପରି ଈଶ୍ୱରଙ୍କ ନିର୍ଦ୍ଦେଶରେ ହଠାତ୍‌ ଚୁପ୍‌ ହୋଇଗଲେ ।

 

ରିଭଲଭରଟା ଲର୍ଡଙ୍କ ହାତରୁ କାଢ଼ି ନିଆଗଲା ।

 

ସେମାନଙ୍କୁ ସେଇ କୁଡ଼ିଆକୁ ସଶସ୍ତ୍ର ପହରାରେ ନିଆଗଲା । କେବଳ ରବର୍ଟ, ପ୍ୟାଗାନେଲ୍‍କୁ ଦେଖାଗଲା ନାହିଁ ସେଇ ଦଳରେ ।

 

–ସାତ–

 

ଟେବୁ ! କି ଅଦ୍ଭୁତ ଶଦ୍ଦ !

 

ଟେବୁ କଥାଟି ମାଉରୀମାନଙ୍କ ସମାଜରେ ଗୋଟିଏ ଐଶ୍ୱରିକ ଆଜ୍ଞା ପରି ଧରା ହୋଇଛି । ଏଇଟି ଉଚ୍ଚାରଣ କରିବାର କ୍ଷମତା ଥାଏ କେବଳ ସେମାନଙ୍କ ରାଜା ବା ସର୍ଦ୍ଦାରଙ୍କର ବା ପୁରୋହିତଙ୍କର । ଏହାକୁ ସେମାନେ ଅଲୌକିକ ଶକ୍ତିର ଆଦେଶ ବୋଲି ମନେ କରନ୍ତି । ଯାହାକୁ ବା ଯାହା ସମ୍ୱନ୍ଧରେ ଟେବୁ ଉଚ୍ଚାରିତ ହୁଏ ତାକୁ ଆଘାତ କରିବା ବା ତା’ର ଅନିଷ୍ଟ କରିବା ଅଲଙ୍ଘନୀୟ ଅପରାଧ ବୋଲି ବିବେଚିତ ହୁଏ । ଟେବୁ ପ୍ରାପ୍ତ ବ୍ୟକ୍ତି ବା ବ୍ୟକ୍ତିମାନେ ନିରାପଦରେ ରକ୍ଷିତ ହୋଇ ରହନ୍ତି । ନାନା ବିଚିତ୍ର କ୍ଷେତ୍ରରେ, ସେମାନେ ଏଇ ଟେବୁଦ୍ୱାରା ଶାସିତ ହୁଅନ୍ତି । ଆଜି ଇଂରେଜ ବନ୍ଦୀଗଣ ଏଇ ଟେବୁ ଦ୍ୱାରାହିଁ ବଞ୍ଚିଗଲେ ।

 

ରାତିଟା ଯେ କିପରି ଭାବରେ କଟିଲା ସେମାନଙ୍କର, ତାହା ଅବର୍ଣ୍ଣନୀୟ । ସମସ୍ତେ ଜାଣିଲେ ମୃତ୍ୟୁ ନିଶ୍ଚିତ ଓ ତାହା କିପରି ଭାବରେ ହେବ ଭାବିବାକୁ ଯାଇ ସମସ୍ତେ ଶିହରି ଉଠିଲେ-

 

ମେଜର ତଥାପି କ୍ଷୀଣ ଆଶା ପ୍ରକାଶ କଲେ–ମୋର ମନେ ହୁଏ–ଏଇ ସର୍ଦ୍ଦାରକୁ ଖୁନ୍‌ କରାଯିବାରୁ କୈ–କଉ–ମଉ ହୁଏତ ଖୁସି ହୋଇଛି । ତା’ର ଜଣେ ପ୍ରତିଦ୍ୱନ୍ଦୀ କମିଗଲା । ମେଜରଙ୍କ କଥାରେ କେହି ଅବଶ୍ୟ ବିଶେଷ ଗୁରୁତ୍ୱ ଦେଲେନି ।

 

ତା’ ଆରଦିନ ବି ସେମିତି କଟିଗଲା । ତଥାପି କିଛି ହେଲାନି ।

 

ଏହାର କାରଣ ହେଉଛି ମାଉରୀମାନଙ୍କ ସମାଜରେ ଶବକୁ ତିନିଦିନ ପକାଇ ରଖା ହୁଏ । ସେମାନଙ୍କ ବିଶ୍ୱାସ ମଣିଷ ମରିବା ପରେ ବି ଆତ୍ମା ଦେହ ଭିତରେ ତିନିଦିନ ପର୍ଯ୍ୟନ୍ତ ରୁହେ-। ତା’ପରେ ହୁଏ ସତ୍କାର ବ୍ୟବସ୍ଥା–ସେ ସତ୍କାର ବଡ଼ ଭୀଷଣ । ସଭ୍ୟ ଲୋକମାନଙ୍କ ପକ୍ଷେ ସେ ବୀଭତ୍ସ ଦୃଶ୍ୟ ଦେଖିବା ଯେ କି କଷ୍ଟକର ତାହା କେବଳ ଏଇ ବନ୍ଦୀମାନେ ଜାଣନ୍ତି ।

 

ପର୍ଦ୍ଦାର ଫାଙ୍କ ଦେଇ ସେମାନେ ଦେଖିଲେ ଏଇ ଦୁଇ ଦିନ ଦୁର୍ଗରେ କେହି ଲୋକବାକ ନାହାନ୍ତି । କେବଳ ମାତ୍ର ସେମାନଙ୍କ ଜଗୁଆଳୀମାନେ ସତର୍କ ପହରା ଦେଉଛନ୍ତି । ତିନିଦିନ ପରେ କେଉଁ ଆଡ଼ୁ ଶହ ଶହ ମାଉରୀ ଆସି ପହଞ୍ଚିଲେ ସେଠାରେ । କୈ–କଉ–ମଉ– ଅବୋଧ୍ୟ ଭାଷାରେ କ’ଣ ସବୁ ସେମାନଙ୍କୁ କହିଲା । ତା’ ପରେ ଇଂରେଜ ବନ୍ଦୀମାନଙ୍କୁ ସେଠାକୁ ନିଆଗଲା-

 

ନାନା ପ୍ରକାର ପୋଷାକ ଓ ଲତାପତ୍ର ଫୁଲଦ୍ୱାରା ସଜାଇ ମୃତ ଦେହଟାକୁ ଶୁଆଇ ରଖା ହୋଇଛି ।

 

ବନ୍ଦୀମାନେ ପହଞ୍ଚିବାରୁ ସମବେତ ଜନତା କୃଦ୍ଧ ଗର୍ଜ୍ଜନ କରି ଉଠିଲା । ହାତଦ୍ୱାରା ଇଙ୍ଗିତ ଦେଇ ସମସ୍ତଙ୍କୁ ନୀରବ ରହିବାକୁ କହି କୈ–କଉ–ମଉ ଲର୍ଡଙ୍କୁ ଚାହିଁ କହିଲା–ତୁମେ କାରା–ଟେଟିକୁ ହତ୍ୟା କରିଛ ।

 

ହଁ–ସ୍ଥିର କଣ୍ଠରେ ଲର୍ଡ ଗ୍ଳେନାରଭ୍ୟାନ୍‍ ଉତ୍ତର ଦେଲେ ।

 

କାଲି ସକାଳେ ସୂର୍ଯ୍ୟ ଉଇଁବା ସଙ୍ଗେ ସଙ୍ଗେ ତୁମେ ମରିବ ।

 

କେବଳ ମୁଁ ?

 

ଏତିକିବେଳେ ସେଠାରୁ ଛୁଟି ଆସିଲା ଜଣେ ସୈନିକ । ଦେହସାରା ତାର କ୍ଷତ ଚିହ୍ନ । ରକ୍ତ ଶୁଖି ଯାଇଛି । ଧଇଁ ସଇଁ ହୋଇ ସେ ସର୍ଦ୍ଦାରକୁ ଅଭିବାଦନ କଲା ।

 

ତୁମେ ଇଂରେଜମାନଙ୍କ ପାଖରୁ ଆସିଛ ? ସର୍ଦ୍ଦାର ପଚାରିଲା ।

 

ହଁ ।

 

ତୁମେ ଆମ ପୁରୋହିତ ଟହୋଙ୍ଗାଙ୍କୁ ବନ୍ଦୀ ଅବସ୍ଥାରେ ଦେଖିଛ ?

 

ହଁ ।

 

ସେ କ’ଣ ବଞ୍ଚିଛନ୍ତି ?

 

ନା–ତାଙ୍କୁ ଇଂରେଜମାନେ ଗୁଳି କରି ମାରି ଦେଇଛନ୍ତି ।

 

ଏକଥା ଶୁଣି ମାଉରୀମାନେ ଉନ୍ମାଦ ପରି ହୋଇଗଲେ । କୈ–କଉ–ମଉର ଆଖି ଦପ୍‌ ଦପ୍‌ କରି ଜଳି ଉଠିଲା । ବନ୍ଦୀମାନଙ୍କ ଆଡ଼କୁ ଚାହିଁ କହିଲା–ତୁମ ସମସ୍ତଙ୍କୁ କାଲି ସକାଳେ ଗୋଟି ଗୋଟି କରି ହତ୍ୟା କରାଯିବ ।

 

ବନ୍ଦୀମାନଙ୍କୁ ପୁଣି କୁଡ଼ିଆକୁ ନିଆଗଲା । ଆଶ୍ଚର୍ଯ୍ୟ, ରବର୍ଟ ଓ ପ୍ୟାଗାନେଲ୍‍ଙ୍କୁ ସେମାନେ କେଉଁଠି ରଖିଲେ ? ଦୁହିଁଙ୍କୁ ଅଲଗା ରଖିବାର ଉଦ୍ଦେଶ୍ୟ କ’ଣ ହୋଇପାରେ ?

 

ଖରାବେଳେ ଶବ ସତ୍କାର ସମୟକୁ ପୁଣି ସେମାନଙ୍କୁ ଅଣାଗଲା । ଗୋଟାଏ ବିରାଟ ଗଛ ତଳେ ଆଣି କାରା–ଟେଟିର ଶବକୁ ରଖା ହୋଇଛି । ଚାରିଆଡ଼େ ଘେରି ରହିଛନ୍ତି ଶହ ଶହ ମାଉରୀ । ସେମାନଙ୍କ ମଧ୍ୟରେ ଅନେକ ସର୍ଦ୍ଦାର ବି ରହିଛନ୍ତି । ଅସଂଖ୍ୟ ନରନାରୀ, ଆବାଳବୃଦ୍ଧବନିତା ବି ଅଛନ୍ତି ।

 

ବୀଭତ୍ସ ଶବ ସତ୍କାର କାର୍ଯ୍ୟ ଆରମ୍ଭ ହେଲା ।

 

ଶବଟିରେ ପ୍ରଥମେ ଭଲ କରି ତେଲ ବୋଳାଗଲା । ସମସ୍ତେ ମିଶି କାନ୍ଦୁ ଥାଆନ୍ତି । ନିକଟ ଆତ୍ମୀୟ ସ୍ତ୍ରୀମାନେ ଦାଢ଼ୁଆ ପଥରଦ୍ୱାରା ନିଜ ଦେହକୁ ଲହୁଲୁହାଣ କରି ଆକାଶ ଫଟା କାନ୍ଦରେ ସ୍ଥାନଟିକୁ ଆହୁରି ଭୟାବହ କରିଦେଲେ ।

 

ଦଳେ ସୈନ୍ୟ ଦାନ୍ତ କଡ଼ମଡ଼ କରି ଅବୋଧ୍ୟ ଭାଷାରେ କ’ଣ କହି ଏପରି ଭାବରେ ଇଂରେଜ ବନ୍ଦୀମାନଙ୍କ ଆଡ଼େ ଚାହିଁଲେ, ମନେ ହେଲା ଯେପରି ସେମାନେ ବର୍ତ୍ତମାନ ସେମାନଙ୍କ ମାଂସ କଞ୍ଚା ଛିଣ୍ଡାଇ ଖାଇଯିବେ । କିନ୍ତୁ କେହି କାହାର ସ୍ଥାନ ଛାଡ଼ିଲେନି । କୈ–କଉ–ମଉଠାରୁ ଇଙ୍ଗିତ ପାଇ ଆରମ୍ଭ ହେଲା ସମବେତ କଣ୍ଠରେ ଶଶ୍ମାନ ସଙ୍ଗୀତ । ବିକଟ ସଙ୍ଗୀତରେ ସେ ସ୍ଥାନଟି ଚମକି ଉଠିଲା ।

 

ଗୀତ ଶେଷ ହେବା ପରେ ଦେଖାଗଲା, ଗୋଟିଏ ତରୁଣୀ ନସର ପସର ହୋଇ କାନ୍ଦି କାନ୍ଦି ଶବ ପାଖକୁ ଆସୁଛି । ସେ ହେଉଛି କାରା–ଟେଟିର ସ୍ତ୍ରୀ–ତାକୁ ସହମରଣ ଯିବାକୁ ହେବ । କାନ୍ଦି କାନ୍ଦି ସ୍ତ୍ରୀଟି ହଠାତ୍‌ ତଳେ ଶୋଇ ପଡ଼ି ମୁଣ୍ଡ ବାଡ଼େଇବାକୁ ଲାଗିଲା ।

 

କୈ–କଉ–ମଉ ଆଗେଇ ଆସିଲା ପାଖକୁ–ହାତରେ ଗୋଟାଏ ବିରାଟ ଗଦା । ସ୍ତ୍ରୀ ଲୋକଟି ଉଠିବାକୁ ଚେଷ୍ଟା କରିବା ମାତ୍ରେ କୈ–କଉ–ମଉ ସେଇ ବିରାଟ ଗଦାଦ୍ୱାରା ଖୁବ୍‌ ଜୋରରେ ତା’ ମୁଣ୍ଡକୁ ପାହାରେ ଦେଲା । ସଙ୍ଗେ ସଙ୍ଗେ ମୁଣ୍ଡଟା ଦୁଇଖଣ୍ଡ ହୋଇଗଲା । ମଥା ଦହି ବାହାରି ଆସିଲା । ଆଉ ସ୍ତ୍ରୀଟି ମରି ପଡ଼ି ରହିଲା । ତା’ ଶବକୁ ଟେକି ନେଇ କାରା–ଟେଟି ପାଖରେ ଶୁଆଇ ଦିଆଗଲା ।

 

ତା’ପରେ ଅଣା ହେଲା କାରା–ଟେଟିର ଛ’ଜଣ ଚାକରଙ୍କୁ । ମାଉରୀମାନଙ୍କର ପ୍ରଥା ଅନୁସାରେ ବଞ୍ଚିଥିବାବେଳେ ଯେଉଁମାନେ ଚାକର ଥାଆନ୍ତି–ମରିଯିବା ପରେ ସେମାନଙ୍କୁ ସହମରଣ ଯାଇ ସେବା ଶୁଶ୍ରୂଷା କରିବାକୁ ହୁଏ । ସୁତରାଂ ଏମାନଙ୍କୁ ବି ମରିବାକୁ ହେବ । ବିଚରା ଚାକରମାନେ ଜଳ ଜଳ କରି ଅନାଇ ବଧ୍ୟଭୂମି ଆଡ଼କୁ ଆଗେଇ ଆସିଲେ ଯେପରି କି କୌଣସି ଚେତନା ନାହିଁ–ଯେପରି ବିହ୍ୱଳ ହୋଇ ଯାଇଛନ୍ତି । ଅଳ୍ପ ସମୟ ପରେ ଗଦା ଧରି ଦୁଇଜଣ ଅର୍ଘାସୁର ପରି ଘାତକ ଆସି ଗୋଟିଏ ଗୋଟିଏ ପାହାରରେ ସେଇ ଛ’ ଜଣଙ୍କୁ ଶେଷ କରି ଦେଲେ-। ରକ୍ତନଦୀ ବୋହିଗଲା ଚାରି ଦିଗରେ ।

 

ଏହାପରେ ଦେଖିବାକୁ ମିଳିଲା ଅମାନୁଷିକ ନରମାଂସ ଖିଆ ପାଲା ।

 

ସର୍ଦ୍ଦାର ଓ ତା’ର ସ୍ତ୍ରୀର ଶବ ଟେବୁଦ୍ୱାରା ରକ୍ଷିତ । କିନ୍ତୁ ଚାକରମାନଙ୍କ ଶବ ତାହା ନୁହେଁ । ଜନତା ହଠାତ୍‌ ଝାମ୍ପି ପଡ଼ିଲା ସେଇ ଚାକରମାନଙ୍କ ଶବ ଉପରେ । ଆଖି ପିଛୁଳାକେ ଟିକି ଟିକି କରି ପକାଇଲେ ସେମାନଙ୍କର ଶବ । କଞ୍ଚା ମାଂସ ଖଣ୍ଡ ଖଣ୍ଡ କରି ନେଇ ଯିଏ ଯାହାର ମୁହଁରେ ପୂରାଇବାକୁ ଲାଗିଲେ । ଓଃ, କି ଭୟାବହ ଦୃଶ୍ୟ ! ବନ୍ଦୀମାନେ ଦୁଇ ହାତରେ ଆଖି ବନ୍ଦ କରିଦେଲେ । ଲେଡି ହେଲେନା ଓ ମେରୀ ତ ପ୍ରାୟ ଅଚେତ ହୋଇଗଲେ ।

 

ଏହିପରି ଭାବରେ କେତେଘଣ୍ଟା ଧରି ଯେଉଁ କାଣ୍ଡ ଚାଲିଲା ତାକୁ ଗୋଟିଏ କଥାରେ ପୂରାପୂରି ନରକର ଦୃଶ୍ୟ ସହିତ ତୁଳନା କରାଯାଇପାରେ ।

 

ତା’ ପରେ କାରା-ଟେଟି ଓ ତା’ର ସ୍ତ୍ରୀର ଶବକୁ ପାଲିଙ୍କି ମଧ୍ୟରେ ବସାଇ ନେଇ, ଦୁଇମାଇଲ ଦୂର ମାନଗାନାମୁ ନାମକ ୮୦୦ ଫୁଟ ଉଚ୍ଚ ଗୋଟିଏ ପର୍ବତକୁ ନିଆଗଲା । ସେଠାରେ ସେମାନଙ୍କ ପାଇଁ ପଥର ଓ ଗଛପତ୍ର ଦ୍ୱାରା ଗୋଟିଏ ସମାଧି ମନ୍ଦିର ତିଆରି କରା ହୋଇଥିଲା । ତା’ ମଧ୍ୟରେ ରଖା ହେଲା ଶବ ଦୁଇଟିକୁ । ଖାଲି ଏତିକି ନୁହେଁ ଏ ଦେଶର ନିୟମାନୁଯାୟୀ ମୃତ ସ୍ୱାମୀ ସ୍ତ୍ରୀର ଉପଯୁକ୍ତ ବିଛଣାପତ୍ର, ପୋଷାକପତ୍ର ଓ ପ୍ରାୟ କେତେ ମାସ ପାଇଁ ଖାଇବା ଜିନିଷ, ପିଇବା ପାଣି ସବୁ କିଛି ସେ ମନ୍ଦିରରେ ଜମା ରଖାଗଲା । ପରକାଳରେ ଖାଇବା ପାଇଁ ଏଇ ବ୍ୟବସ୍ଥା ।

 

ତା’ ପରେ ମାଉରୀ ଜନତା ଶେଷଥର ପାଇଁ ଓହ୍ଲାଇ ଆସିଲା ସେ ପାହାଡ଼ରୁ । କାହିଁକି ନା ଏ ପାହାଡ଼ ବର୍ତ୍ତମାନ ଟେବୁଦ୍ୱାରା ରକ୍ଷିତ ହୋଇଗଲା । ତା’ ଉପରକୁ ଗଲେହେଁ ମୃତ୍ୟୁଦଣ୍ଡ । ବଞ୍ଚିଥିବା ଯାଏ ସେଠାକୁ ଯିବା ମାଉରୀମାନଙ୍କୁ ନିଷିଦ୍ଧ । ଯେପରି ଆଉ ଗୋଟିଏ ପାହାଡ଼ ନାଁ ଟଂଗାରୀୟୋ । ସେଠାରେ ଅଛି ୧୮୦୬ ଖ୍ରୀଷ୍ଟାଦ୍ଦର ଭୂମିକମ୍ପରେ ନିହିତ ଏକ ସର୍ଦ୍ଦାରର ମୃତ ଦେହ ।

 

ବନ୍ଦୀମାନଙ୍କୁ ଆଣି ପୁଣି ସେଇ କୁଟୀରରେ ଅଟକି ରଖାଗଲା । ରବର୍ଟ ଓ ପ୍ୟାଗାନେଲ୍‍କୁ ଏଥର ବି ଦେଖାଗଲା ନାହିଁ । ସେମାନଙ୍କୁ କ’ଣ ଜୀବନରେ ମାରି ଦେଇଛନ୍ତି ମାଉରୀମାନେ ?

 

–ଆଠ–

 

ଆଜି ଶେଷ ରାତି ।

 

କାଲି ସକାଳେ ସୂର୍ଯ୍ୟ ଉଇଁବା ସଙ୍ଗେ ସଙ୍ଗେ ଇଂରେଜ ବନ୍ଦୀମାନଙ୍କ ମୃତ୍ୟୁ ହେବ–ନୃଶଂସ ମୃତ୍ୟୁ– ସେ ମୃତ୍ୟୁର କଥା କଳ୍ପନା କରି ହେବନି ।

 

ସ୍ତମ୍ଭିତ ହୋଇ ସମସ୍ତେ ବସି ରହିଲେ । ଲର୍ଡ ଗ୍ଳେନାରଭ୍ୟାନ୍‍ ସାହାସ ଦେବାକୁ ଲାଗିଲେ–କାରଣ ମୃତ୍ୟୁ ଯେତେବେଳେ ନିଶ୍ଚତ, ସେତେବେଳେ ଭୟ ଛାଡ଼ ବନ୍ଧୁମାନେ । ଏଇ ମାଉରୀମାନଙ୍କୁ ଦେଖାଇ ଦେବାକୁ ହେବ ମରଣକୁ ଆମେ ଭୟ କରୁନା ।

 

ତା’ପରେ ସେମାନେ ସମସ୍ତେ ମିଶି ପ୍ରାର୍ଥନା କଲେ । ଖାଇବା ପାଇଁ ଯାହା ଦିଆ ହୋଇଥିଲା ଆଉ କେହି ତାହା ମୁହଁରେ ଦେଲେନି । କ୍ଳାନ୍ତି ଓ ଭୟରେ ସ୍ତ୍ରୀ ଲୋକମାନେ ଶୋଇ ପଡ଼ିଲେ ।

 

ଲର୍ଡ କହିଲେ, ଦେଖ ଜନ୍‍ । ଆମେ ତ ମରିବା, କିନ୍ତୁ ଦୁଃଖର କଥା ଦୁଇଜଣ ସ୍ତ୍ରୀ ଲୋକଙ୍କୁ ବି ଆମ ସଙ୍ଗେ ଏଇ ଭୟାବହ ମୃତ୍ୟୁ ବରଣ କରିବାକୁ ହେଲା । ଖାଲି ମୃତ୍ୟୁ ନୁହେଁ, ଯଦି ସେମାନେ କୌଣସି ପ୍ରକାର ଅତ୍ୟାଚାର କରନ୍ତି, ମାନ ଇଜ୍ଜତ ନ ରଖନ୍ତି, ତେବେ ? ତା’ଠାରୁ–ତା’ଠାରୁ ଗୋଟାଏ କାମ କଲେ କିପରି ହୁଅନ୍ତା ?

 

କି କାମ ଲର୍ଡ ? ଜନ୍‌ ମ୍ୟାଙ୍ଗ୍‌ଲସ ପଚାରିଲା ।

 

ସେମାନଙ୍କ ହାତରେ ମରିବା ଅପେକ୍ଷା ଆମ ହାତରେ ସେମାନଙ୍କ ମୃତ୍ୟୁ ହେଉ । କିନ୍ତୁ ଅସ୍ତ୍ର କାହିଁ ? ଅସ୍ତ୍ର କେଉଁଠୁ ପାଇବା ?

 

ସେ କଥା ନେଇ ଆପଣ ଚିନ୍ତା କରନ୍ତୁ ନାହିଁ । ଜନ୍‌ ମ୍ୟାଙ୍ଗ୍‌ଲସ ଗୋଟିଏ ଛୁରୀ ବାହାର କରି କହିଲା, କାରା–ଟେଟି ଯେତେବେଳେ ତଳେ ମରି ପଡ଼ିଗଲା ତା ଛୁରୀଟା ମୁଁ ଲୁଚାଇ ନେଇ ଆସିଥିଲି ।

 

ଠିକ୍‌ ଅଛି, ଦୀର୍ଘଶ୍ୱାସ ଛାଡ଼ି ଲର୍ଡ କହିଲେ, କିନ୍ତୁ ,ଏବେ ନୁହେଁ ଜନ୍‌ । ଯଦି ସେମାନେ କୌଣସି ଅତ୍ୟାଚାର ଆରମ୍ଭ କରନ୍ତି ତେବେ, ବୁଝିଲ ? ନିଜ ହାତରେ ନିଜ ଆତ୍ମୀୟ ମାରିବା ଯେ କି କଷ୍ଟ କାମ, ଓଃ !

 

ଏହାପରେ କିଛି ସମୟ ପାଇଁ ଓହ୍ଲାଇ ଆସିଲା ନିସ୍ତବ୍‌ଧତା । କ’ଣ ବା କହିବାର ଅଛି-? ମୃତ୍ୟୁର ପ୍ରହର ଗଣିବା ଛଡ଼ା ହାତରେ ଆଉ କୌଣସି କାମ ନାହିଁ । ସମୟ ବିତିବାକୁ ଲାଗିଲା । ଭୟଙ୍କର ରାତ୍ରି ଧୀରେ ଧୀରେ ଶେଷ ହେବାକୁ ଲାଗିଲା ।

 

ଲର୍ଡ କହିଲେ, ସ୍ତ୍ରୀ ଲୋକମାନେ ସଙ୍ଗରେ ନଥିଲେ ମାଉରୀମାନଙ୍କ ସଙ୍ଗେ ଅନ୍ତତଃ ଥରେ ଲଢ଼େଇ କରି ହୋଇଥାନ୍ତା– ଫଳାଫଳ ଯାହା ହୋଇଥାନ୍ତା ପଛେ । ପଳାଇବାର ତ ଉପାୟ ନାହିଁ ! ଯେଉଁ ଘରଟାରେ ସେମାନେ ଅଛନ୍ତି–ପଛରେ ଉଚ୍ଚ ପାହାଡ଼ର କାନ୍ଥି –ଗୋଟିଏ ପାଖରେ ବିରାଟ ଗହ୍ୱର– ସିଧା ଓହ୍ଲାଇ ଯାଇଛି–ବୋଧହୁଏ ଶହେ ଫୁଟ ହେବ । ସେ ବାଟ ଦେଇ ପଳାଇଯିବା ଅସମ୍ଭବ । ଆଗରେ ରହିଛନ୍ତି ସତର୍କ ପ୍ରହରୀ ।

 

ରାତି ସେତେବେଳକୁ ଚାରିଟା ହେବ । ହଠାତ୍‌ ଯେଉଁ ଆଡ଼େ ଗହ୍ୱର ସେଇ ଆଡ଼ୁ ତଳୁ ମାଟି ଖୋଳା ହେବାର ଶଦ୍ଦ ଶୁଣାଗଲା ।

 

ସମସ୍ତେ ଚମକି ପଡ଼ି ସେ ସ୍ଥାନରେ କାନ ପାତିଲେ । କି ଶଦ୍ଦ ? ବୋଧହୁଏ କୌଣସି ଜନ୍ତୁ ଗାତ ଖୋଳୁଛି । କିନ୍ତୁ ନା, ଜନ୍ତୁ ନୁହେଁ–ଶଦ୍ଦ କ୍ରମେ କ୍ରମେ ଆଗେଇ ଆସୁଛି । ନିଶ୍ଚୟ କୌଣସି ଲୋକ ଗାତ ଖୋଳି ଘରେ ପଶିବାକୁ ଚେଷ୍ଟା କରୁଛି । କିଏ ହୋଇପାରେ ? ଯିଏ ହେଉ, ସେମାନେ ଠିକ୍‌ କଲେ ଏପଟ ସେମାନେ ବି ଖୋଳିବେ । ଛୁରୀ ଓ ଖାଲି ହାତରେ ସମସ୍ତେ ମିଶି ଖୋଳିବାକୁ ଆରମ୍ଭ କଲେ, ଶଦ୍ଦଟା ଯେଉଁ ପଟୁ ଆସୁଛି ଠିକ୍‌ ସେଇ ସ୍ଥାନରେ । କିଛି ସମୟ ପରେ ସେ ପଟୁ ଗୋଟାଏ ଛୁରୀର ଫଳା ଆସି ଲାଗିଲା ମେଜରଙ୍କ ହାତରେ । ଓଃ–ବୋଲି କହି ମେଜର ଚୁପ୍‌ ହୋଇଗଲେ–କାଳେ ବାହାରେ ଥିବା ଜଗୁଆଳୀମାନଙ୍କ କାନକୁ ଯିବ ସେ ଶଦ୍ଦ । ତା’ପରେ ସେ ଗାତ ଦେଇ ବାହାରି ଆସିଲା ଗୋଟାଏ ହାତ–ଧଳା ହାତ–ଏତ ମାଉରୀର ନୁହେଁ ! ଜନ୍‌ କହିଲା’ ଆରେ ଏତ ଆମ ରବର୍ଟ ହାତ !

 

କିଏ ? ରବର୍ଟ ? ଲର୍ଡ ପଚାରିଲା ।

 

ହଁ ଲର୍ଡ ମୁଁ । ରବର୍ଡ ଗାତର ଆରପାଖୁ କହିଲା ।

 

ତା ପରେ ଗୋଟାଏ ମିନିଟ୍‌ରେ ଗାତ ମୁହଁ ବଡ଼ ହୋଇଯିବାରୁ ସେ ଉଠି ଆସିଲା ଉପରକୁ ।

 

କିଓ ! ତୁମେ କେଉଁଠି ଥିଲ ? କିପରି ଆସିଲ ? ମାଉରୀମାନେ ତମକୁ ଦେଖି ନାହାନ୍ତି-? ଇତ୍ୟାଦି ପ୍ରଶ୍ନ ପଚାରି ବିବ୍ରତ କରିଦେଲେ ତାକୁ ।

 

ଉତ୍ତରରେ ରବର୍ଟ ଜଣାଇଲା, କାରା–ଟେଟିକୁ ମାରିବାବେଳେ ମାଉରୀମାନଙ୍କ ଆଖିରେ ଧୂଳି ଦେଇ ସେ ଖସି ଯାଇଥିଲା । ତା’ପରେ ଦୁଇଦିନ ଜଙ୍ଗଲରେ ରହିଲା । ଯେଉଁ ଦିନ ଶବ ସତ୍କାର ହେଲା ସେ ଦିନ ସେ ଆସି ଏଇ ଘରର ତଳଟା ଦେଖିଗଲା ଭଲ କରି । ତା’ପରେ ଗୋଟାଏ ପରିତ୍ୟକ୍ତ କୁଟୀରରୁ ଗୋଛାଏ ଦଉଡ଼ି ଓ ଗୋଟିଏ ଛୁରୀ ପାଇଲା । ଡାଳପତ୍ର ଓ ଏଇ ଦଉଡ଼ି ସାହାଯ୍ୟରେ ଏଇ ପାହାଡ଼ କାନ୍ଥ ଦେଇ ଉପରକୁ ଉଠିଲା–ତା’ପରେ ପାହାଡ଼ ଭିତରେ ଘର ଆଡ଼କୁ ଥିବା ଗୋଟିଏ ଗୁହା ପରି ଗାତ ଦେଖି ଖୋଳିବାକୁ ଆରମ୍ଭ କଲା ।

 

ସାବାସ୍‍ ରବର୍ଟ ! ଗ୍ଳେନାରଭ୍ୟାନ୍‍ ତା’ ପିଠି ଥାପୁଡ଼େଇ କହିଲା । ଗୋଳମାଳ ଶୁଣି ସ୍ତ୍ରୀ ଲୋକମାନେ ଉଠି ପଡ଼ିଥିଲେ । ରବର୍ଟକୁ କୁଣ୍ଢାଇ ଧରି ସେବାନେ ଆନନ୍ଦରେ କାନ୍ଦିବାକୁ ଲାଗିଲେ-

 

ରବର୍ଟ କହିଲା, ଆଉ ଡେରି କଲେ ବିପଦ । ଜଣେ ପ୍ରହରୀମାନଙ୍କୁ ନଜର ରଖୁ । ଆଉ ଜଣ ଜଣ କରି ପଳାଇ ଚାଲ ।

 

ତା’ପରେ ସେମାନେ ଜଣ ଜଣ ହୋଇ ଗାତ ଦେଇ ଓହ୍ଲାଇ ସେଇ ଗାତ ମୁହଁରେ ଆସି ଠିଆ ହେଲେ । ଶେଷରେ ଝୁଳନ୍ତା ଦଉଡ଼ି ସାହାଯ୍ୟରେ ସମସ୍ତେ ତଳକୁ ଓହ୍ଲାଇ ଗଲେ । ଚାରିଆଡ଼େ ଅନ୍ଧାର ରାତି । ଜଗୁଆଳୀମାନେ କୁଟୀରର ତିରିଶ ହାତ ଦୂରରେ ନିଆଁ ଜାଳି ବସିଛନ୍ତି-। ଅଥଚ ସେମାନେ ଏ ସବୁ କିଛି ଜାଣି ପାରି ନାହାନ୍ତି ।

 

ରବର୍ଟକୁ ପଚରାଗଲା, ପ୍ୟାଗାନେଲ୍‍ର ଖବର କ’ଣ ? ତାକୁ ଦେଖିଛ ?

 

ରବର୍ଟ କହିଲା, ସେ ଜାଣେନି । ତା’ ସଙ୍ଗରେ ତା’ର ଦେଖା ହେଇନି । ପ୍ୟାଗାନେଲ୍‍ ପାଇଁ ସମସ୍ତଙ୍କ ମନ ଭାରି ଖରାପ ହୋଇଗଲା । ତଥାପି ସେମାନେ ଅନ୍ଧାର ଭିତରେ ଦୌଡ଼ିବାକୁ ଲାଗିଲେ । ଭୋର ହେବା ଆଗରୁ ଏଇ ଅଞ୍ଚଳଠାରୁ ବହୁତ ଦୂରକୁ ଚାଲିଯିବାକୁ ହେବ । ତେଣୁ ସେମାନେ ପ୍ରାଣପଣେ ଦୌଡ଼ିବାକୁ ଲାଗିଲେ ।

 

କାନ୍ଥିଟା କ୍ରମଶଃ ଉଚ୍ଚ ହେଉଛି । ତଳେ ଅସ୍ପଷ୍ଟ ହୋଇ ଦେଖାଯାଉଛି ହ୍ରଦଟା । ସେମାନେ ଚାଲିବାକୁ ଲାଗିଲେ । ପ୍ରାଣ ନେଇ ଖୁବ୍‌ ଶୀଘ୍ର ପଳାଇ ଯିବାକୁ ହେବ ।

 

ସେମାନେ ଯେତେବେଳେ ୮୦୦ ଫୁଟ ଉଚ୍ଚକୁ ଉଠି ଆସିଛନ୍ତି, ଏପରି ସମୟରେ ଭୋରର ଆଲୁଅ ଦେଖାଗଲା । କୁହୁଡ଼ି ଯୋଗୁଁ ଦୂରରୁ କିଛି ସେତବେଳେ ଦେଖାଯାଉ ନଥିଲା ।

 

କ୍ଳାନ୍ତିରେ ସମସ୍ତଙ୍କ ଦେହ ଅବଶ ହୋଇ ଆସୁଛି–ତେବେ ବି ଚାଲିଛନ୍ତି ସେମାନେ ।

 

ସୂର୍ଯ୍ୟ ଉଇଁବାରୁ କୁହୁଡ଼ି କଟିଗଲା । ଆଉ ସେଇ ମୁହୂର୍ତ୍ତରେ ସେମାନେ ଶୁଣିବାକୁ ପାଇଲେ କୋଳାହଳ । ଅନାଇ ଦେଖିଲେ, ତଳେ ହ୍ରଦ କୂଳରେ ଶହ ଶହ ମାଉରୀ ମାରାତ୍ମକ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ହୋଇ ଉଠି ଆସୁଛନ୍ତି ଉପରକୁ । ବିରାଟ ଚିତ୍କାର କରି ମେଦିନୀ କମ୍ପାଇ ଛୁଟି ଆସୁଛନ୍ତି ସମସ୍ତେ । ସେମାନଙ୍କ ଟେର ପାଇଯାଇଛନ୍ତି ତା’ହେଲେ ।

 

ଚାଲ–ଚାଲ–ଆହୁରି ଜୋରରେ–ଆହୁରି–ନହେଲେ ରକ୍ଷା ନାହିଁ । ସେମାନଙ୍କ ହାତରେ ଧରା ପଡ଼ିଲେ, ଖଣ୍ଡ ଖଣ୍ଡ କରି କଞ୍ଚା ଖାଇଦେବେ ସେମାନେ ।

 

ସେମାନେ ଉଠୁଛନ୍ତି–ପଛରୁ ପଙ୍ଗପାଳ ପରି ଆଗେଇ ଆସୁଛନ୍ତି ମାଉରୀମାନେ । ଆଉ ଉପାୟ ନାହିଁ । ଈଶ୍ୱରଙ୍କୁ ଡାକ । ସେମାନେ ଯେଉଁ ପରି ଗତିରେ ଆସୁଛନ୍ତି, କେତେ ମିନିଟ୍‌ ମଧ୍ୟରେ ଏଇ କ୍ଳାନ୍ତ ଦଳକୁ ନିଶ୍ଚୟ ଧରି ପକାଇବେ ।

 

–ନଅ–

 

ସେମାନେ ପ୍ରାୟ ଆଠ ଶହ ଫୁଟ ଉଠି ଆସିଛନ୍ତି, ଜଙ୍ଗଲୀମାନେ ପାଞ୍ଚ ଶହ ଫୁଟ–ଏପରି ସମୟରେ ମେଜର ପଛକୁ ଫେରି ଚିତ୍କାର କରି ଉଠିଲେ, ଦେଖୁନ୍ତୁ, ଲର୍ଡ ଦେଖନ୍ତୁ !

 

ସମସ୍ତେ ଫେରି ଚାହିଁ ଦେଖିଲେ ସେଇ ଚଳନ୍ତି ହିଂସ୍ର ପଙ୍ଗପାଳ ମାଉରୀମାନେ ହଠାତ୍‌ ଠିଆ ହୋଇ ପଡ଼ିଛନ୍ତି । ଆଗକୁ ଆଗଉ ନାହାନ୍ତି । କ’ଣ ହେଲା ? ସେଠାରେ ଠିଆହୋଇ ସେମାନେ ଉନ୍ମାଦ ପରି ଚିତ୍କାର କରୁଛନ୍ତି । ଆଉ ପାଦ ହାତ ହଲାଇ ବୀଭତ୍ସ ଚିତ୍କାର କରୁଛନ୍ତି ସେମାନଙ୍କ ଆଡ଼େ ଚାହିଁ । ଘଟଣା କ’ଣ ପ୍ରଥମେ କିଛି ବୁଝି ହେଲାନି ।

 

ଶେଷରେ ଜନ୍‌ ମ୍ୟାଙ୍ଗ୍‌ଲସ ଆନନ୍ଦରେ ଚିତ୍କାର କରି ଉଠିଲା, ଆରେ ଏଇଟା ପରା ମାନ୍‌ଗାନାମୁ ପାହାଡ଼ । କାରା-ଟେଟିର ସମାଧି ସ୍ଥଳ । ଏଠାରେ ‘ଟେବୁ’ ଅଛି । ମାଉରୀମାନେ ବଞ୍ଚି ଥାଉ ଥାଉ ୟାଡ଼େ ଆସିବେନି ।

 

ଓଃ ଭଗବାନ ! ବଞ୍ଚିଗଲା ମଣିଷ । ଠିକ୍‌ କଥା, ଏଇ ତ ସମାଧି ମନ୍ଦିର । ସମସ୍ତେ ସମାଧି ମନ୍ଦିର ଆଡ଼କୁ ଆଗେଇଗଲେ । ଲର୍ଡ ଗ୍ଳେନାରଭ୍ୟାନ୍‌ ଲତାପତ୍ରର ପର୍ଦ୍ଦା ଠେଲି ମନ୍ଦିରରେ ପଶିଯାଇ ଦୁଇ ପାଦ ପଛେଇ ଆସିଲେ ।

 

ଭିତରେ ଗୋଟିଏ ଜଙ୍ଗଲୀ ବସିଛି ।

 

ସମସ୍ତେ ସତର୍କ ହୋଇ ଲତାପତ୍ରର ପର୍ଦ୍ଦା ଟେକି ଦେଖିଲେ ଲତାପତ୍ରର ପୋଷାକ ପିନ୍ଧି ଗୋଟାଏ ଲୋକ ସତରେ ବସିଛି ସେଠାରେ । ଅନ୍ଧାରରେ କିଛି ବୁଝି ହେଉନାହିଁ । ମାଉରୀମାନଙ୍କର ତ ଏଠାକୁ ଆସିବା ମନା, ତେବେ ଏଇଟା ଆସିଲା କିପରି ?

 

ତୁମେ କିଏ ? ସମସ୍ତେ ଚିତ୍କାର କରି ଉଠିଲେ , ହାତ ଟେକି ଠିଆ ହୁଅ, ନଚେତ୍‌–

 

ଭୟ କର ନାହିଁ–ପରିଚିତ କଣ୍ଠରେ ଲୋକଟା କହିଉଠିଲା–ଆସନ୍ତୁ, ଖାଦ୍ୟ ପ୍ରସ୍ତୁତ ।

 

ଆରେ ପ୍ୟାଗାନେଲ୍‍ ଯେ ! ତୁମେ ଏଠିକି କିପରି ଆସିଲ ? ଆଶ୍ଚର୍ଯ୍ୟ !

 

ପ୍ୟାଗାନେଲ୍‍ ଜଣାଇଲା, ସେ ବି ସୁଯୋଗ ଦେଖି ପାହଠାରୁ ପଳାଇ ଆସିଲା । କିନ୍ତୁ ଆଉ ଜଣେ ସର୍ଦ୍ଦାର ହାତରେ ଧରା ପଡ଼ିଗଲା । ସେ ବି ତାକୁ ବନ୍ଦୀ କରି ରଖିଲା । କିନ୍ତୁ ସୁଯୋଗ ପାଇ ସେଠାରୁ ବି ଖସି ଆସି କାରା-ଟେଟିର ସମାଧି ମନ୍ଦିର ‘ଟେବୁ’ ରକ୍ଷିତ ଏଇ ପାହାଡ଼ରେ ଆସି ପହଞ୍ଚିଛି । ସେ ଜାଣେ ୟାଡ଼େ ମାଉରୀମାନେ ଆସିବେ ନାହିଁ । ସୁତରାଂ ବେଶ୍‍ ଆରାମରେ ଅଛି । ମୃତମାନଙ୍କ ପାଇଁ ରଖାଯାଇଥିବା ଅଜସ୍ର ଖାଦ୍ୟ ପାନୀୟରେ ବେଶ୍‍ ମଉଜରେ ଦିନ କଟାଉଛି ।

 

ସମସ୍ତେ ସ୍ୱସ୍ତିର ନିଃଶ୍ୱାସ ଛାଡ଼ି ଖାଇ ପିଇ ଟିକିଏ ସୁସ୍ଥ ହେଲେ ।

 

ତଳକୁ ଅନାଇଁ ଦେଖିଲେ, ମାଉରୀମାନେ–ସେଠାରେ ଠିଆ ହୋଇଛନ୍ତି । ଠିଆ ହୋଇଥାନ୍ତୁ, କେତେ ଦିନ ରହିବେ ଦେଖାଯାଉ । ଏଠିକି ତ ଆସି ପାରିବେନି !

 

ଯାହାହେଉ ସେ ଦିନଟା କଟିଗଲା, ସେ ରାତି ବି ଗଲା । କିନ୍ତୁ ଏପରି ଭାବରେ ତ ସବୁଦିନ ରହି ହେବ ନାହିଁ ! ଖାଇବା ଜିନିଷ ଯାହା ଅଛି ସେଥିରେ ଖୁବ୍‌ ବେଶୀ ହେଲେ ପନ୍ଦର ଦିନ ଚଳିଯିବ । କିନ୍ତୁ ତା’ପରେ ? ସୁତରାଂ ସେମାନେ ପଳାୟନର ଚିନ୍ତା କରିବାକୁ ଲାଗିଲେ ।

ଦ୍ୱିତୀୟ ଦିନ ରାତିରେ ପାହାଡ଼ର ପଛ ଭାଗ ଦେଇ ପଳାଇ ଯିବାର ଚେଷ୍ଟା କରି ଦେଖାଗଲା ମାଉରୀମାନେ ଧମାଧମ୍‌ ଗୁଳି ଛାଡ଼ୁଛନ୍ତି । ସାଇଁ ସାଇଁ ହୋଇ ମୁଣ୍ଡ ଉପର ଦେଇ ଗୁଳି ଯାଉଛି । କିନ୍ତୁ ଭାଗ୍ୟକୁ କାହା ଦେହରେ ବାଜିଲା ନାହିଁ । ଫେରି ଆସିବାକୁ ହେଲା । ନା, ପଳାଇବା ମୁସ୍କିଲ । ହୁଏତ ଏଠାରେ କରାଟେଟିର ସମାଧି ପାଖରେ ଉପାସରେ ମରିବାକୁ ହେବ ।

ଆଉ ଦିନେ କଟିଗଲା । ଜଙ୍ଗଲୀମାନେ କିନ୍ତୁ ସେମାନଙ୍କ ସ୍ଥାନରୁ ଟିକିଏ ସୁଦ୍ଧା ହଳଚଲ ହେଲେନି । ଅସ୍ତ୍ରଶସ୍ତ୍ର ନେଇ ପ୍ରାୟ ଦୁଇ ଶହ ଲୋକ ଚାହିଁ ବସିଛନ୍ତି ସେଠାରେ ।

ଅନେକ ଆଳାପ, ଆଲୋଚନା, ଫନ୍ଦିଫିକର କରାଗଲା, କିନ୍ତୁ ପଳାଇବାର କୌଣସି ବାଟ ଦେଖାଗଲାନି ।

ଚତୁର୍ଥ ଦିନ ପ୍ୟାଗାନେଲ୍‍ ଚିତ୍କାର କରି ଉଠିଲା, ପାଇଛି !

କ’ଣ ପାଇଛ ? ସମସ୍ତେ ବିସ୍ମିତ ହୋଇ ପ୍ରଶ୍ନ କଲେ ।

ପଳାଇବାର ବାଟ । ପ୍ୟାଗାନେଲ୍‍ ଗମ୍ଭୀର ଭାବରେ କହିଲା । ତା’ପରେ ସେମାନଙ୍କୁ ଗୋଟିଏ ସ୍ଥାନ ନେଇ ଦେଖାଇଲା । ଏଇ ସ୍ଥାନଟା ଖୁବ୍‌ ଗରମ ଲାଗୁ ନାହିଁ ? ପାଦ ରଖିଲେ ପୋଡ଼ି ଯାଉନାହିଁ ?

ହଁ, କ’ଣ ହେଲା ?

ତା’ ହେଲେ ଶୁଣନ୍ତୁ । ପ୍ୟାଗାନେଲ୍‍ ତା’ର ପ୍ରସ୍ତାବ କହିଲା–ଏ ଆଡ଼ର ସବୁ ପାହାଡ଼ ଆଗ୍ନେୟଗିରି । ଏଇ ପାହାଡ଼ଟା ବି ସେଥିରୁ ଗୋଟିଏ । ଆମେ ଯଦି ଏଠି ଟିକିଏ ଖୋଳି ପକାଇବା; ଭିତରୁ ଧୂଆଁ, ନିଆଁ, ଓ ଲାଭା ବାହାରିବାକୁ ଆରମ୍ଭ କରିବ । ଆମେ ସେଇୟା କରିବା ଚାଲ । ଦୂରକୁ ମାଉରୀମାନେ ସେ ଅଗ୍ନ୍ୟୁତ୍ପାତ ଦେଖି ଭାବିବେ, ଆମେମାନେ ‘ଟେବୁ’ ଅମାନ୍ୟ କରି ଏଇ ପବିତ୍ର ପାହାଡ଼ରେ ପାଦ ଦେଇଛୁ । ତେଣୁ ଭଗବାନଙ୍କ ଅଭିଶାପ ନିଆଁ ହୋଇ ଆମକୁ ପୋଡ଼ି ମାରୁଛି । ଆମେମାନେ ମରିଗଲୁଣି ଭାବି ସେମାନେ ଚାଲିଯିବେ । ସେତେବେଳେ ବେଶ୍‌ ସହଜରେ ପଛବାଟ ଦେଇ ପଳାଇ ଯାଇହେବ ।

 

ଚମତ୍କାର ପ୍ରସ୍ତାବ । ଜନ୍‍ ମ୍ୟାଙ୍ଗ୍‌ଲସ ଖୁସି ହେଲା । ତୁମ ମୁଣ୍ଡରେ କିଛି ବୁଦ୍ଧି ଅଛି ନିଶ୍ଚୟ ! ସାବାସ !

 

ଗମ୍ଭୀର କଣ୍ଠରେ ଲର୍ଡ ଗ୍ଳେନାରଭ୍ୟାନ୍‍ କହିଲେ, କିନ୍ତୁ ସତରେ ଯଦି ସେ ଅଗ୍ନ୍ୟୁତ୍ପାତରେ ଆମେ ମରୁ ?

 

ସେଥିପାଇଁ ସାବଧାନ ହେବାକୁ ପଡ଼ିବ–ପ୍ୟାଗାନେଲ୍‍ କହିଲା, ଆମେ ସମାଧି ମନ୍ଦିର ପାଖରେ ପଥରରେ ଗୋଟିଏ କାନ୍ଥ କରିଦେବା । ଆଉ ଗାତଟା ଏପରି ଭାବରେ ଖୋଳିବା ଯେ ଯେଉଁଥିରେ ଏଇ ମାଉରୀମାନେ ଯେଉଁ ଆଡ଼କୁ ଠିଆ ହୋଇଛନ୍ତି, ସେଇ ଆଡ଼କୁ ଲାଭାସ୍ରୋତ ବୋହି ଚାଲିବ ।

 

ସେଇୟା ହେଲା– ଦିନସାରା ଲାଗି ସେମାନେ ଉତ୍ସାହ ସହ ଆୟୋଜନରେ ଲାଗିଗଲେ । ସନ୍ଧ୍ୟା ହେବା ମାତ୍ରେ ଅତି ସନ୍ତର୍ପଣରେ ଗାତ ଖୋଳିଲେ । କିଛି ସମୟ ପରେ ଭସ୍‌ କରି ପ୍ରଥମେ ବାହାରିଲା ଅଳ୍ପ କିଛି ଗରମ ଧୂଆଁ । ମୁହୂର୍ତ୍ତକ ଭିତରେ ସେମାନେ ଡେଇଁପଡ଼ି ସେଠାରୁ ହଟି ଆସି ନଥିଲେ ଦେହ ପୋଡ଼ି ଯାଇଥାଆନ୍ତା । ତା’ପରେ ସେଇ ଗାତ ମୁହଁରୁ ବାହାରିଲା ଟକ୍‌ମକ୍‌ କରି ଫୁଟନ୍ତା ଲାଭା ଓ ତା’ ସଙ୍ଗେ ସଙ୍ଗେ ଗଳିତ ନିଆଁ । କ୍ରମେ ତାହା ତିନି ମହଲା ଉଚ୍ଚ ଯାଏ ଉପରକୁ ଉଠିଲା–ତା’ପରେ ଗଡ଼ିଚାଲିଲା ମାଉରୀମାନେ ରହିଥିବା ପାହାଡ଼ ତଳକୁ । ତା’ପରେ ଭୟଙ୍କର ଗଣ୍ଡଗୋଳ ଓ ଚିତ୍କାର ଶୁଣାଗଲା । ମାଉରୀମାନଙ୍କ ଆଡ଼ୁ । ଆକାଶ ଓ ଆଖପାଖର ଅନେକ ସ୍ଥାନ ଆନ୍ଦୋଳିତ ହୋଇ ଉଠିଲା । ସେଇ ଆଲୁଅରେ ଦେଖାଗଲା ମାଉରୀମାନେ ଯେଉଁଆଡ଼େ ପାରନ୍ତି, ସେଇଆଡ଼େ ଦଉଡ଼ିବାରେ ଲାଗିଛନ୍ତି । ଗୋଟାଏ ବିକଟ ସମ୍ମିଳିତ ଚିତ୍କାର ଶୁଣାଯାଉଛି ।

 

ସେମାନେ ସମସ୍ତେ ସମାଧି ମନ୍ଦିର ମଧ୍ୟରେ ଲୁଚି ରହିଲେ । ନିସ୍ତବ୍‌ଧ ରାତିକୁ ଚମକିତ କରି ଭୟାବହ ଗର୍ଜ୍ଜନ ସହ ଅଗ୍ନ୍ୟୁତ୍ପାତ ହେଲା । ସମୟ ବିତିବାକୁ ଲାଗିଲା । ଶେଷରେ ଦେଖାଗଲା ମାଉରୀମାନେ ସବୁ ପଳାଇଛନ୍ତି । ସେତେବେଳେ ସେମାନେ ଧୀରେ ଧୀରେ ପାହାଡ଼ ପଛବାଟ ଦେଇ ବିପରୀତ ଦିଗରେ ଥିବା ସମତଳକୁ ଓହ୍ଲାଇ ଆସିଲେ ।

 

ପୁଣି ଯାତ୍ରା ଆରମ୍ଭ ହେଲା । ନିଘଞ୍ଚ ଗହନ ବନରେ ପଥଚଲା । ଉପାୟ ନାହିଁ; ପ୍ରାଣ ବଞ୍ଚାଇବାକୁ ହେଲେ ଏଇୟା କରିବାକୁ ହେବ । ସାରା ରାତି ଜୋରରେ ଚାଲି ଚାଲି ସେମାନେ ପ୍ରାୟ ଦଶ ମାଇଲ ବାଟ ଚାଲି ଆସିଲେ ।

 

ପ୍ୟାଗାନେଲ୍‍ ହେଲା ପଥପ୍ରଦର୍ଶକ । ମାନଚିତ୍ର ଦେଖି ସେ କ୍ରମଶଃ ଦଳଟାକୁ ସମୁଦ୍ର କୂଳ ଆଡ଼କୁ ଆଗେଇ ନେବାକୁ ଲାଗିଲା । କେବଳ ସମୁଦ୍ର ପାଇଗଲେ ବାଟଚଲା ସହଜ ହେବ । ନଚେତ୍‌ ବଣଜଙ୍ଗଲ ପାହାଡ଼ ପର୍ବତରେ ଦିଗ ଠିକ୍‌ କରିବା କଷ୍ଟକର ।

 

କେତେ ଦିନ ମଧ୍ୟରେ ଦିନେ ନୀଳ ସମୁଦ୍ରର ଥଣ୍ଡା କୂଳକୁ ଆସି ସେମାନେ ଯେପରି ବଞ୍ଚିଗଲେ ।

 

ଏଥର କୂଳେ କୂଳେ ଇଂରେଜ ଘାଟି ବା ଅକ୍‌ଲ୍ୟାଣ୍ଡ ଆଡ଼କୁ ଯିବାକୁ ହେବ ।

 

–ଦଶ–

 

କିନ୍ତୁ ଭାଗ୍ୟରେ ହଇରାଣ ହେବାର ଯୋଗ ଥିଲେ, ତାକୁ ଏଡ଼ାଇ ଯିବାର ସାଧ୍ୟ କାହାର-?

 

ସେମାନେ କୂଳେ କୂଳେ ଆଗଉଛନ୍ତି, ଏପରି ସମୟରେ ହଠାତ୍‌ ଦେଖିପାରିଲେ ଜଙ୍ଗଲ ମଧ୍ୟରୁ କେତେଗୁଡ଼ିଏ ମାଉରୀ କୁରାଢ଼ୀ ଓ ବନ୍ଧୁକ ଧରି ଆକ୍ରମଣ କରିବାକୁ ଆଗେଇ ଆସୁଛନ୍ତି ।

 

ସେମାନେ ଭୂତ ଦେଖିବା ପରି କିଂ କର୍ତ୍ତବ୍ୟ ବିମୂଢ଼ ହୋଇ ଠିଆ ହୋଇ ପଡ଼ିଲେ । ଏଇ ସମୟରେ ଉଇଲ୍‌ସନ ଚିତ୍କାର କରି କହିଲା, ଶୀଘ୍ର ଚାଲ । ହେଇଟି କେତେଗୁଡ଼ିଏ ନୌକା ଦେଖା ଯାଉଛି ।

 

କାଳବିଳମ୍ୱ ନ କରି ସେମାନେ ଦୌଡ଼ି ଯାଇ ସେଇ ଜଙ୍ଗଲୀମାନଙ୍କର ଗୋଟିଏ ନୌକାରେ ଚଢ଼ିଗଲେ ଓ ଖୁବ୍‌ ଜୋରରେ ନୌକା ଚଳାଇବାକୁ ଲାଗିଲେ । ଚାରି ପାଞ୍ଚ ଜଣ ଲାଗି ପଡ଼ି ଆହୁଲା ମାରି କିଛି ସମୟ ମଧ୍ୟରେ ସମୁଦ୍ର ଭିତରକୁ ଚାଲିଗଲେ । ଭୟରେ ସମସ୍ତେ କମ୍ପୁଥାନ୍ତି । ଦେହ ଆଉ କଷ୍ଟ ସହିପାରୁନି ।

 

ଏଆଡ଼େ ମାଉରୀମାନେ ମଧ୍ୟ ଆଉ ଗୋଟିଏ ନୌକାରେ ସେମାନଙ୍କୁ ଗୋଡ଼ାଇବାକୁ ଲାଗିଲେ ।

 

ଜୋରରେ ଚଲାଅ, ଲର୍ଡ ଚିତ୍କାର କରି କହିଲେ ।

 

ନୌକା ଚାଲିବାକୁ ଲାଗିଲା । କିନ୍ତୁ କେତେ ସମୟ ଏପରି ଭାବରେ ଚଳାଇବେ ? ଆଉ ନୌକା ସାହାଯ୍ୟରେ ସମୁଦ୍ରରେ କେତେ ଦୂର ବା ଯାଇହେବ ? ଗଲେ ବି ଝଡ଼ବେଳେ ପାଣିରେ ବୁଡ଼ି ମରିବା ଛଡ଼ା ଅନ୍ୟ କିଛି ଉପାୟ ନାହିଁ ।

 

ଜଙ୍ଗଲୀମାନେ କ୍ରମେ କ୍ରମେ ସେମାନଙ୍କ ନିକଟକୁ ଆଗେଇ ଆସୁଛନ୍ତି । ପାଖରେ ଆସି ମାଉରୀମାନେ ଗୁଳି ମାରିବାକୁ ଲାଗିଲେ । ଦୂରତ୍ୱ ଯୋଗୁଁ ଗୁଳି ଦେହରେ ବାଜିଲା ନାହିଁ ସତ, କିନ୍ତୁ ଆଉ କେତେ ସମୟ ?

 

ଜାହାଜ ! କିଏ ଯେପରି ଚିତ୍କାର କରି ଉଠିଲା, ଗୋଟିଏ ଜାହାଜ ।

 

ସମସ୍ତେ ସମୁଦ୍ରଆଡ଼େ ଚାହିଁ ଦେଖିଲେ ସତରେ ଗୋଟିଏ ଜାହାଜ ସେମାନଙ୍କ ଆଡ଼କୁ ଆସୁଛି ।

 

ଜୋରରେ ଚଳାଅ–ଜାହାଜଟା ଧରିବା ଦରକାର । ଲର୍ଡ ଚିତ୍କାର କରି ଆଦେଶ ଦେଲେ-

 

ୟା’ଡେ ଜଙ୍ଗଲୀମାନେ ପ୍ରାୟ ପାଖକୁ ଆସି ଯାଇଛନ୍ତି । ଉଭୟ ଆଡ଼େ ବିପଦ । ଏଇ ଜାହାଜଟା ଯଦି ଡନ୍‌କାନ୍‌ ହୋଇଥାଏ ! ନା, ସେଇଟା ତ ଜଳଦସ୍ୟୁ କୟେଦୀମାନଙ୍କ କବଳରେ । ସେମାନଙ୍କୁ ପାଇଲେ ନିଶ୍ଚୟ ମାରି ପକାଇବେ । ଯାହା ଥିବ ଭାଗ୍ୟରେ । ନିଶ୍ଚିତ ମରଣଠାରୁ ଅନିଶ୍ଚିତ ମରଣ ହାତରେ ପଡ଼ିବା ଢେର ଭଲ । ପ୍ରାଣପଣେ ନୌକା ଚଳାଇବାକୁ ଲାଗିଲେ ସେମାନେ ।

 

ଏଇ ସମୟରେ ଗୋଟିଏ ଅଦ୍ଭୁତ କାଣ୍ଡ ଘଟିଲା । ଜାହାଜରୁ ବିକଟ ଗର୍ଜ୍ଜନ ସହ କେତେ ଥର ଦୁମ୍‌ ଦୁମ୍‌ କରି କମାଣ ଫୁଟିଲା । ଦେଖାଗଲା, ସେଗୁଡ଼ିକ ଯାଇ ଜଙ୍ଗଲୀମାନଙ୍କ ନୌକାଗୁଟିକୁ ଆଘାତ କରିଛି । ସଙ୍ଗେ ସଙ୍ଗେ ଜଙ୍ଗଲୀମାନଙ୍କ ନୌକାଗୁଡ଼ିକ ବୁଡ଼ିଗଲା । ଆଉ ଯେଉଁ ସବୁ ଜଙ୍ଗଲୀ ନ ମରି ସେତେବେଳେ ଯାଏ ବଞ୍ଚି ରହିଥିଲେ, ସେମାନେ ପହଁରି ପହଁରି କୂଳ ଆଡ଼କୁ ପଳାଇବାକୁ ଲାଗିଲେ ।

 

କି ଅଦ୍ଭୁତ ଘଟଣା ! ଜଳଦସ୍ୟୁମାନଙ୍କର ଏତେ ଦୟା ! ସମସ୍ତେ ଅବାକ୍‌ ହେଲେ । କେତେ ମିନିଟ୍‌ ମଧ୍ୟରେ ଜାହାଜ ପାଖକୁ ଆସିଗଲା । ଲର୍ଡ ଚିହ୍ନିଲେ ଏଇଟା ତାଙ୍କରି ଜାହାଜ ଡନ୍‌କାନ୍‌ । କିନ୍ତୁ ଡେକ୍‌ ଉପରେ କିଏ ଠିଆ ହୋଇଛି ? ସେକେଣ୍ଡ କ୍ୟାପଟେନ୍‌ ଟମ୍‌ ନୁହେଁ ତ ? ହଁ, ସେଇ ।

 

ଆଶ୍ଚର୍ଯ୍ୟ ହେବାର ସମୟ ନାହିଁ ସେତେବେଳକୁ । ଜାହାଜ ପାଖକୁ ଆସି ସିଡ଼ି ଓହ୍ଲାଇ ସେମାନଙ୍କୁ ନୌକାରୁ ଉପରକୁ ଉଠାଇନେଲା ।

 

କିନ୍ତୁ କାହାନ୍ତି ଜଳଦସ୍ୟୁ ? ଏଠାରେ ତ କେହି ନାହାନ୍ତି ? ସମସ୍ତେ ଲର୍ଡ ଗ୍ଳେନାରଭ୍ୟାନ୍‍ଙ୍କ ନିଜ ଲୋକ–ଆଉ ତାଙ୍କ ସହକାରୀ ଟମ୍‌ ପରିଚାଳନା କରୁଛି ଜାହାଜକୁ ।

 

ଘଟଣା କଣ ଟମ୍‌ ? ଲର୍ଡ ବିସ୍ମୟରେ ବେଶୀ କିଛି କହି ପାରିଲେନି । କିଛି ସେ ବୁଝିପାରୁ ନାହାନ୍ତି । ତୁମେ ନିଉଜିଲ୍ୟାଣ୍ଡ ଉପକୂଳକୁ ବା ଆସିଲ କିପରି ?

 

ସବୁ କଥା ପରେ କହିବି ଲର୍ଡ, ଟମ୍‌ ଅଳ୍ପ ହସି କହିଲା, ଏବେ ଚାଲନ୍ତୁ, ଖାଇସାରି ବିଶ୍ରାମ ନେବେ ।

 

ଖିଆପିଆ ସରିବା ପରେ ଲର୍ଡ ଗ୍ଳେନାରଭ୍ୟାନ୍‌ ଟମ୍‌କୁ ପଚାରିଲେ, କୟେଦୀମାନଙ୍କୁ କ’ଣ କଲ ତୁମେ ?

 

କୟେଦୀ ? କୟେଦୀ ଆସିବେ କୁଆଡ଼ୁ ? ବିସ୍ମିତ ହୋଇ ଟମ୍‌ ଉତ୍ତର ଦେଲା ।

 

ଜଳଦସ୍ୟୁ କୟେଦୀମାନେ ପରା ଏ ଜାହାଜକୁ ଦଖଲ କରି ନେଇଥିଲେ ?

 

ତା’ହେଲେ ତ ସେମାନଙ୍କୁ ଏ ଜାହାଜରେ ଦେଖିବାକୁ ପାଇଥାଆନ୍ତେ ଆପଣ ।

 

ଆଶ୍ଚର୍ଯ୍ୟ ! ତୁମେ ତା’ହେଲେ ନିଉଜିଲ୍ୟାଣ୍ଡ ଉପକୂଳରେ କ’ଣ କରୁଥିଲ ?

 

ଆପଣଙ୍କ ଆଦେଶରେ ମୁଁ ବୁଲୁଥିଲି । ଆପଣ ପରା ଚିଠି ଲେଖି ଏଇ ଆଦେଶ ଦେଇଥିଲେ ?

 

ମୋର ସେ ଚିଠି ତା’ହେଲେ ତୁମେ ପାଇଛ ? ସେଥିରେହିଁ ଲେଖାଥିଲା ଅଷ୍ଟ୍ରେଲିଆ ଉପକୂଳରେ ବୁଲିବା ପାଇଁ ।

 

ଅଷ୍ଟ୍ରେଲିଆ ନୁହେଁ, ସେଥିରେ ନିଉଜିଲ୍ୟାଣ୍ଡ କଥା ଲେଖା ଥିଲା ।

 

କି ଆଶ୍ଚର୍ଯ୍ୟ, ତମକୁ ଚିଠିଟି କିଏ ଦେଇଥିଲା ? କୟେଦୀମାନଙ୍କ ଜଣେ ସର୍ଦ୍ଦାର ଜେମ୍‌ ଜୟେସ୍‌ ତ ?

 

ନା, ଚିଠି ଆଣିଥିଲେ ବ୍ରିଟାନିଆ ଜାହାଜର କୋୟାଟର ମାଷ୍ଟର ଆଇରନ୍‍ଟନ୍‌ ।

 

ଆଇରନ୍‌ଟନ୍‌ ! ସେ କେଉଁଠି ଅଛନ୍ତି ?

 

ତାଙ୍କୁ ବନ୍ଦୀ କରି ରଖିଛି ଏଇ ଜାହାଜରେ । ବର୍ତ୍ତମାନ ନେଇ ଆସୁଛି । ଆଉ ଚିଠିଟି ଦେଖନ୍ତୁ–କହି ଟମ୍‌ ଚିଠିଟି ଦେଖାଇଲା । ସେଥିରେ ପ୍ରକୃତରେ ଗ୍ଳେନାରଭ୍ୟାନ୍‍ଙ୍କ ପକ୍ଷରୁ ପ୍ୟାଗାନେଲ୍‍ର ହାତଲେଖା ରହିଛି ‘ତୁମେ ଅବିଳମ୍ୱେ ନିଉଜିଲ୍ୟାଣ୍ଡର ଉପକୂଳରେ ଯାଉଥିବ । ଇତି’–ତାପରେ ଲର୍ଡଙ୍କ ଦସ୍ତଖତ ।

 

ସମସ୍ତେ ବିସ୍ମିତ ହେଲେ । ଆଶ୍ଚର୍ଯ୍ୟ ଭୁଲ୍‍ । ଲର୍ଡ କହିଥିଲେ ଅଷ୍ଟ୍ରେଲିଆ କିନ୍ତୁ ପ୍ୟାଗାନେଲ୍‍ ଭୁଲରେ ନିଉଜିଲ୍ୟାଣ୍ଡ ବୋଲି ଲେଖି ଦେଇଛି । ଳଜ୍ଜାରେ ପ୍ୟାଗାନେଲ୍‍ ମୁଣ୍ଡ ତଳକୁ କଲା । ତା’ର ଏଇ ଅନିଚ୍ଛାକୃତ ଭୁଲ୍‍ ପାଇଁ କିନ୍ତୁ ସମସ୍ତେ ତାକୁ ଧନ୍ୟବାଦ ଦେଲେ । ଯଦି ସେ ଏ ଭୁଲ୍‌ କରି ନ ଥାନ୍ତା ତ’ହେଲେ ଏ ଜାହାଜ ଏଠାରେ ନ ଥାନ୍ତା । ଆଉ ସେମାନଙ୍କର ହୁଏତ ମୃତ୍ୟୁ ବରଣ କରିବା ଛଡ଼ା ଅନ୍ୟ ଉପାୟ ନ ଥାନ୍ତା ।

 

ଟମ୍‌ ମୁହଁରୁ ଶୁଣାଗଲା ଯେ ଆଇରନ୍‌ଟନ୍‌ ଚିଠିଟା ଦେବା ମାତ୍ରେ ସେ ଜାହାଜ ନିଉଜିଲ୍ୟାଣ୍ତ ଦିଗରେ ଚଳାଇ ଆଣିଲା । ଏଥିରେ ପ୍ରଥମେ ଆଶ୍ଚର୍ଯ୍ୟ ହେଲା ଆଇରନ୍‌ଟନ୍‌ । କାହିଁକି ନା ସେ ଜାଣେ ଚିଠିରେ ଲେଖା ଅଛି ଅଷ୍ଟ୍ରେଲିଆ ଉପକୂଳର କଥା । ପ୍ରଥମେ ସେ ପ୍ରତିବାଦ କଲା– ତା’ପରେ ଝଗଡ଼ା– ଶେଷରେ ଯେତେବେଳେ ଜାହାଜର ଲୋକମାନଙ୍କ ମଧ୍ୟରେ ବିଦ୍ରୋହ କରିବା ପାଇଁ ଚେଷ୍ଟା କଲା, ସେତେବେଳେ ଟମ୍‌ର ସନ୍ଦେହ ହେଲା ଏବଂ ସେ ତାକୁ ଗୋଟିଏ କାବିନରେ ବନ୍ଦୀ କରି ରଖିଲା ।

 

ଏହା ଶୁଣି ସମସ୍ତେ ବିସ୍ମିତ ହେଲେ । ଘଟଣାର କି ବିଚିତ୍ର ଗତି ! ଲେଖାର ଟିକିଏ ଭୁଲ୍‍ ଯୋଗୁଁ ସମସ୍ତଙ୍କର ପ୍ରାଣ ରହିଗଲା । ଜାହାଜଟି ବି ବଞ୍ଚିଗଲା । ଆଇରନ୍‌ଟନ୍‌ର ସବୁ ଚକ୍ରାନ୍ତ ବ୍ୟର୍ଥ ହୋଇଛି । ଏବେ ଦେଖାଯାଉ ଆଇରନ୍‌ଟନ୍‌ ଓ ଜେମ ଜୟେସ୍‌ ଏକ ବ୍ୟକ୍ତି ହେଲେ କିପରି ?

 

–ଏଗାର–

 

ଆଇରନ୍‌ଟନ୍‌କୁ ଅଣାଗଲା ।

 

ଲର୍ଡ ଗ୍ଳେନାରଭ୍ୟାନ୍‌ ଅଳ୍ପ ହସି କହିଲେ, ପୁଣି ଦେଖା ହେଲା ଆମର ଏଇ ଜାହାଜରେ–ଯେଉଁଟାକୁ କି ତୁମେ କୟେଦୀମାନଙ୍କ ହାତରେ ଦେଇ ଦେବାକୁ ଚାହିଁଥିଲ । ତୁମର କ’ଣ କିଛି କହିବାର ଅଛି ?

 

ଆଇରନ୍‌ଟନ୍‌ ମୁଣ୍ଡ ତଳକୁ କରି ରହିଲା । ଲଜ୍ଜାରେ ମୁହଁ ନାଲି ହୋଇଗଲା । ତା’ପରେ ଧୀରେ ଧୀରେ କହିଲା, ନା ଲର୍ଡ, ମୋର କିଛି କହିବାର ନାହିଁ ।

 

ଆଉ କୌଣସି କଥା ତା’ ମୁହଁରୁ ବାହାର କରାଯାଇ ପାରିଲାନି । ଯାହା ପଚରାଗଲା, ତା’ର ଉତ୍ତରରେ ସେ କେବଳ କହିଲା, ନା, ଜାଣେ ନା । ଲର୍ଡ କ୍ୟାପଟେନ୍‍ ଗ୍ରାଣ୍ଟ୍‍ଙ୍କ ସମ୍ୱନ୍ଧରେ ଜାଣିବା ପାଇଁ ଚେଷ୍ଟା କଲେ । କିନ୍ତୁ ତାଠୁ କୌଣସି କଥା ଆଦାୟ କରାଯାଇ ପାରିଲା ନାହିଁ ।

 

ଆଇରନ୍‌ଟନ୍‌ ଉତ୍ତର ଦେଲା, ମୋତେ ମାରି ପକାନ୍ତୁ, କାଟି ପକାନ୍ତୁ, ତେବେବି କୌଣସି କଥା ମୁଁ କହିବି ନାହିଁ ।

 

ବିରକ୍ତି ହୋଇ ଆଇରନ୍‌ଟନ୍‌କୁ ପୁଣି ତା’ କେବିନକୁ ପଠାଇ ଦିଆଗଲା ।

 

ଅନେକ କିଛି ଭାଗ୍ୟରେ ଥିଲା । ସବୁ ହେଲା । ଆଉ କାହିଁକି ? ଚାଲ, ଏଥର ଦେଶକୁ ଫେରିଯିବା । କ୍ୟାପଟେନ୍‌ ଗ୍ରାଣ୍ଟ୍‍ ଆଉ ହୁଏତ ଜୀବନରେ ନାହାନ୍ତି ।

ଜାହାଜ ଚାଲିବାକୁ ଲାଗିଲା ।

ସମସ୍ତେ ନିଶ୍ଚିନ୍ତ । କିନ୍ତୁ ମନଟା କ୍ୟାପଟେନ୍‌ ଗ୍ରାଣ୍ଟ୍‍ଙ୍କ ପାଇଁ ସର୍ବଦା ଗୋଳେଇ ହେଉଥାଏ । ଆଇରନ୍‌ଟନ୍‌ ଏପରି ଏକଜିଦିଆ ଲୋକ ଯେ ପଦେ ସୁଦ୍ଧା କଥା ତା’ ନିକଟରୁ ଆଦାୟ କରାଯାଇ ପାରିଲାନି । ଅଥଚ ମନେ ହେଉଛି ସେ ଯେପରି ଅନେକ କିଛି ଜାଣେ ।

ଲେଡି ହେଲେନା ଓ ମେରୀ ପ୍ରସ୍ତାବ ଦେଲେ, ପୁରୁଷମାନେ ଯେତେବେଳେ ହାର ମାନିଛନ୍ତି–ଥରେ ସେମାନେ ଚେଷ୍ଟାକରି ଦେଖନ୍ତେ କୌଣସି କଥା ବାହାରେ କରାଯାଇ ପାରୁଛି କି ନାହିଁ ।

ସେଇୟା ହେଲା । କେବିନ୍‌କୁ ଯାଇ ଦୁଇ ଜଣ ଯାକ ମିଶି ଦୁଇ ଘଣ୍ଟା ଯାଏ ନାନା ପ୍ରକାର ଚେଷ୍ଟା କଲେ, କିନ୍ତୁ ଆଇରନ୍‌ଟନ୍‌ ପୂର୍ବପରି ଚୁପ୍‌ଚାପ ।

ସ୍ତ୍ରୀମାନେ ଅବଶ୍ୟ ଚେଷ୍ଟା ଛାଡ଼ିଲେ ନାହିଁ । ଆଉ ଦିନେ ବିତିଗଲା ଏବଂ କେତେ ଘଣ୍ଟା ପରେ ବାହାରି ଆସି ଲର୍ଡଙ୍କୁ ଜଣାଇଲେ, ସୁସଂବାଦ । ଆଇରନ୍‌ଟନ୍‌ କହିବାକୁ ରାଜି ହୋଇଛି । ସେ କେବଳ ଲର୍ଡଙ୍କୁ ହିଁ କହିବ, ଆଉ କାହାକୁ ନୁହେଁ ।

ଟିକିଏ ଆଶାର ସଞ୍ଚାର ହେଲା ।

ଲର୍ଡ ତାକୁ ନିରୋଳାକୁ ନେଇଗଲେ ।

ଏଥର କୁହ, କ’ଣ ଜାଣ ?

ତା ଆଗରୁ ମୋତେ ଗୋଟିଏ ପ୍ରତିଶ୍ରୁତି ଦେବାକୁ ହେବ ଲର୍ଡ ।

କ’ଣ କୁହ ?

ମୋତେ ଦେଶକୁ ନେଇଯାଇ ଇଂରେଜ ସରକାରଙ୍କ ହାତରେ ଦେଇ ପାରିବନି । ମତେ ଗୋଟିଏ ନିର୍ଜ୍ଜନ ଦ୍ୱୀପରେ ଓହ୍ଲାଇ ଦେବାକୁ ହେବ ।

ପ୍ରଥମେ ଲର୍ଡ ଏ ପ୍ରସ୍ତାବରେ କୌଣସିମତେ ରାଜି ହେଲେନି । ସେ ଧର୍ମଭୀରୁ ବ୍ୟକ୍ତି । ଅପରାଧୀକୁ ବିନା ବିଚାରରେ; ବିନା ଶାସ୍ତିରେ ଛାଡ଼ି ଦେବାକୁ ରାଜି ନୁହନ୍ତି ସେ । କିନ୍ତୁ ଶେଷରେ କ୍ୟାପଟେନ୍‍ ଗ୍ରାଣ୍ଟ୍‍ଙ୍କ ଖବର ପାଇବା ଆଶାରେ ରାଜି ହେବାକୁ ହେଲା ।

କିନ୍ତୁ ନିର୍ଜ୍ଜନ ଦ୍ୱୀପରେ ଓହ୍ଲାଇବା ତ ତୁମ ପକ୍ଷରେ ମରିବା ସଙ୍ଗେ ସମାନ ହେବ ! ସେଥିରେ ତୁମେ କ’ଣ କମ୍‌ ଶାସ୍ତି ପାଇବ ବୋଲି ଭାବୁଚ ?

ହଉ ପଛେ । ଆଇରନ୍‌ଟନ୍‌ର ସେଇ ଗୋଟିଏ କଥା, ମୋତେ କୌଣସି ନିର୍ଜ୍ଜନ ଦ୍ୱୀପରେ ଓହ୍ଲାଇ ଦେବାକୁ ହେବ ।

ବେଶ୍‌, ତାହାହିଁ ହେବ ।

ତା’ହେଲେ ସାକ୍ଷୀ ଡାକନ୍ତୁ ।

ସେଇୟା ହେଲା । ପ୍ୟାଗାନେଲ୍‌, ଜନ୍‌ ମ୍ୟାଙ୍ଗ୍‌ଲସ ଓ ମେଜରଙ୍କୁ ଡକାହେଲା । ସମସ୍ତଙ୍କ ଆଗରେ ସ୍ଥିର ହେଲା, ଆଇରନ୍‌ଟନ୍‌ର ଇଚ୍ଛା ଅନୁଶାରେ ତାକୁ ଯେ କୌଣସି ଗୋଟିଏ ନିର୍ଜ୍ଜନ ଦ୍ୱୀପରେ ଓହ୍ଲାଇ ଦିଆଯିବ ।

ତା’ପରେ ଆଇରନ୍‌ଟନ୍‌ କହିଲା ତା ଜୀବନର କାହାଣୀ । ସେ ବ୍ରିଟାନିଆ ଜାହାଜରେ କୋୟାଟର ମାଷ୍ଟର ହୋଇ ଆଷ୍ଟ୍ରେଲିଆ ଆସିଲା । କୌଣସି କାରଣରୁ କ୍ୟାପଟେନ୍‌ ଗ୍ରାଣ୍ଟ୍‍ଙ୍କ ସଙ୍ଗରେ ତା’ର ମତ ଦ୍ୱୈଧ ହେଲା–ପରେ ହେଲା ତୁମୂଳ ଝଗଡା । ସେ ବିଦ୍ରୋହ କଲା ଏବଂ କେତେଜଣ ନାବିକଙ୍କୁ ତା’ ଦଳକୁ ଟାଣିବାକୁ ଚେଷ୍ଟା କଲା । କିନ୍ତୁ କ୍ୟାପଟେନ୍‍ ଗ୍ରାଣ୍ଟ୍‍ ଖୁବ୍‌ କଡ଼ା ଲୋକ । ସେ ତାକୁ ସେ ସୁଯୋଗ ଦେଲେନି । ସଙ୍ଗେ ସଙ୍ଗେ ଟୁଫଲ୍‌ଡବେ ନିକଟରେ ତାକୁ ଏକାକୀ ଓହ୍ଲାଇ ଦେଇ ଜାହାଜ ନେଇ ଚାଲିଗଲେ । ସେତେବେଳେ ଭୀଷଣ ଅସୁବିଧାରେ ପଡ଼ିଲା ସେ । ଅଷ୍ଟ୍ରେଲିଆ ତା’ର ବିଦେଶ, ନା ଚିହ୍ନିଛି ରାସ୍ତାଘାଟ, ନା ଅଛି ଚିହ୍ନା ପରିଚୟ କେହି । ଦୁଇ ଦିନ ଅର୍ଦ୍ଧାହାରରେ ବୁଲାବୁଲି କଲା ପରେ, ଜେଲ୍‍ରୁ ପଳାଇ ଆସିଥିବା ଦଳେ କୟେଦୀମାନଙ୍କ ସଙ୍ଗରେ ତା’ର ସାକ୍ଷାତ ହେଲା । ସେମାନେ ଡକାୟତୀ ରାହାଜାନୀ ଓ ନରହତ୍ୟା କରି ସେ ଅଞ୍ଚଳରେ ବୁଲୁ ଥାଆନ୍ତି । ସେମାନଙ୍କ ଦଳରେ ସେ ଯୋଗ ଦେଲା । ତା’ପରେ ସେମାନଙ୍କ ସର୍ଦ୍ଦାର ହୋଇ ଡକାୟତୀ ଆରମ୍ଭ କଲା । ସେତେବେଳେ ସେ ତା’ ନାଁ ବଦଳାଇ ରଖିଲା ଜେମ୍‌ ଜୟେସ୍‌ ।

 

ବୁଲୁ ବୁଲୁ ଦିନେ ଯେଉଁ ଫାର୍ମରେ ଲର୍ଡ ଇତ୍ୟାଦି ଯାଇ ପହଞ୍ଚିଥିଲେ ସେଇଠିକି ଗଲା ।

 

ସେ ସ୍ୱୀକାର କଲା ଯେ ଲର୍ଡଙ୍କ ସଙ୍ଗରେ ପ୍ରଥମ ସାକ୍ଷାତ ହେବା ମାତ୍ରେହିଁ ତା’ ମନରେ ଏକ ଚକ୍ରାନ୍ତ ଖେଳିଲା । ସେ ମନେ ମନେ ଗୋଟିଏ ଜାହାଜ ହସ୍ତଗତ କରିବା ମତଲବରେ ଥିଲା । ଗୋଟିଏ ଜାହାଜ ପାଇ ଯାଇଥିଲେ ସେ ଅନାୟାସରେ ତା’ର ଦଳବଳ ଧରି ଦସ୍ୟୁଗିରି କରି ମହାନନ୍ଦରେ ଦିନ କାଟି ପାରିଥାନ୍ତା ଏବଂ ପ୍ରୟୋଜନ ମୁତାବକ ଟଙ୍କା ପଇସା ସଂଗ୍ରହ କରିସାରି ଦେଶକୁ ମଧ୍ୟ ଫେରି ଯାଇ ପାରିଥାନ୍ତା । ତେଣୁ ଲର୍ଡଙ୍କ ସଙ୍ଗେ ପରିଚୟ ହେବାମାତ୍ରେ ସେ ତାଙ୍କ ଡନ୍‍କାନ୍‍କୁ ହସ୍ତଗତ କରିବା ପାଇଁ ସ୍ଥିର କଲା ।

 

ଠିକ୍‌ କଲା, ଲର୍ଡ ଓ ତାଙ୍କ ସଙ୍ଗୀମାନଙ୍କୁ କ୍ୟାପଟେନ୍‌ ଗ୍ରାଣ୍ଟ୍‍ଙ୍କ ଜାହାଜ ବୁଡ଼ିବାର କାଳ୍ପନିକ ସ୍ଥାନ ଦେଖାଇବା ଛଳରେ ବଣ ବାଟରେ ଦୂରକୁ ନେଇଯିବ । ସେଇୟା କଲା । ଜଙ୍ଗଲ ମଧ୍ୟରେ ବିଷ ଦେଇ ଘୋଡ଼ାଗୁଡ଼ିକୁ ସେ ମାରିଦେଲା । ତା’ପରେ ସେ ଚିଠି ନେଇ ଡନ୍‌କାନ୍‍କୁ ଚାଲିଗଲା । ଦଳର କୟେଦୀମାନଙ୍କୁ କହିଲା ଯେ ସେମାନେ ସମୁଦ୍ରକୂଳରେ ଗୋଟିଏ ସ୍ଥାନରେ ସତର୍କ ହୋଇ ରହିଥାନ୍ତୁ । ଡନ୍‌କାନ୍‍କୁ ନେଇ ସେ ସେଠାକୁ ଯାଇ ପାରିଲେ ବାଜିମାତ୍‌ । କିନ୍ତୁ ପ୍ୟାଗାନେଲ୍‍ର ସାମାନ୍ୟ ଭୁଲ୍‍ ପାଇଁ ତା’ର ସମସ୍ତ ପରିକଳ୍ପନା ମାଟି ହୋଇଗଲା ।

 

ତା’ପରର ଘଟଣା ତ ଲର୍ଡ ସବୁ ଜାଣନ୍ତି ।

 

କିନ୍ତୁ କ୍ୟାପଟେନ୍‌ ଗ୍ରାଣ୍ଟ୍‍ଙ୍କ କୌଣସି ଖବର ଜାଣ କି ?

 

ଆଜ୍ଞା ନା ଆଉ କିଛି ମୁଁ ଜାଣିନି–ଆଇରନ୍‌ଟନ୍‌ କହିଲା, ତଥାପି ମୋର ଯେତେଦୂର ମନେହୁଏ, ଅକ୍‌ଲ୍ୟାଣ୍ଡ ନିକଟରୁ ସେ ନିଉଜିଲ୍ୟାଣ୍ଡ ଆଡ଼କୁ ଯାଉଥିଲେ–ବାଟରେ ଜାହାଜ ବୁଡ଼ି ଯାଇଛି ।

 

ସମସ୍ତେ ହତାଶ ହେଲେ । କୌଣସି ସଂବାଦ ମିଳିଲାନି ।

 

ଜାହାଜ ଚାଲିବାକୁ ଲାଗିଲା ।

 

ବର୍ତ୍ତମାନ ଏକମାତ୍ର କାର୍ଯ୍ୟ ହେଲା, ଗୋଟିଏ ନିର୍ଜ୍ଜନ ଦ୍ୱୀପ ଖୋଜି, ଆଇରନ୍‌ଟନ୍‌କୁ ସେଠାରେ ଓହ୍ଲାଇ ଦେବା ।

 

–ବାର–

 

ଭୌଗଳିକ ପ୍ୟାଗାନେଲ୍‍ ମାନଚିତ୍ର ଦେଖି ଗୋଟିଏ ଦ୍ୱୀପ ଠିକ୍‌ କଲା–ନାଁ । ମେରିଆ ଥେରେସା । ଏପରି ନିର୍ଜ୍ଜନ ଦ୍ୱୀପ ବୋଧହୁଏ ପ୍ରଶାନ୍ତ ମହାସାଗରରେ ଆଉ ନାହିଁ । ଦ୍ୱୀପଟି ଲମ୍ୱ ଓ ପ୍ରସ୍ଥରେ ପ୍ରାୟ ୫ ମାଇଲି ହେବ ଆମେରିକାଠାକୁ ଏହାର ଦୂରତ୍ୱ ସାଢ଼େ ତିନି ହଜାର ମାଇଲି । ଆଉ ନିଉଜିଲ୍ୟାଣ୍ଡରୁ ଦେଢ଼ ହଜାର ମାଇଲ । ଏଠାକୁ କୌଣସି ପ୍ରକାର ଜାହାଜ ଆସେ ନାହିଁ । ମଣିଷ ସଙ୍ଗେ ଏହାର କୌଣସି କାଳେ ସମ୍ପର୍କ ନଥିଲା କି ଭବିଷ୍ୟତରେ ହେବାର ଆଶା ଖୁବ୍‌ କମ୍‌-

 

ସୁତରାଂ ଜାହାଜ ମେରିଆ ଥେରେସା ଦିଗରେ ଚାଲିଲା । ଦୁଇ ଦିନ ପରେ ଦୂର ଚକ୍ରବାଳରେ ଦ୍ୱୀପଟି ଦେଖାଗଲା, ପ୍ରାୟ ତିରିଶ ମାଇଲ ଦୂରରେ । ଜାହାଜ ଯେତେ ଆଗେଇବାକୁ ଲାଗିଲା ଦ୍ୱୀପଟି ସେତେ ସ୍ପଷ୍ଟ ହେବାକୁ ଲାଗିଲା ।

 

ଉପରଓଳି ପ୍ରାୟ ପାଞ୍ଚଟାରେ ଜନ୍‌ ମ୍ୟାଙ୍ଗ୍‌ଲସ ଦେଖିଲା ଦ୍ୱୀପଟିରୁ ଯେପରି ଧୂଆଁ ବାହାରୁଛି ।

 

ବୋଧହୁଏ ଏଇଟି ଗୋଟିଏ ଆଗ୍ନେୟଗିରି ଦ୍ୱୀପ ।

 

ଅସମ୍ଭବ ନୁହେଁ ।

 

ସନ୍ଧ୍ୟା ହୋଇ ଆସିଲା, ଦ୍ୱୀପଟା ସେତେବେଳେ ପ୍ରାୟ ଅଳ୍ପ କେତେ ମାଇଲି ଦୂରରେ । ରାତି ଆଗତ ସେଠାରେ ପହଞ୍ଚି ହେବ ନାହିଁ ବୋଧହୁଏ–କ’ଣ କହୁଚ ?

 

ନା–ତା ଛଡ଼ା ରାତିରେ ଏପରି ଗୋଟିଏ ଅଜଣା ଦ୍ୱୀପରେ ଓହ୍ଲାଇବା ବି ଉଚିତ୍‌ ହେବ ନି ।

 

ସୁତରାଂ ରାତି ପ୍ରାୟ ଆଠଟା ବେଳେ ଦ୍ୱୀପଠାରୁ ଅଳ୍ପ ଦୂରରେ ଜାହାଜକୁ ନଙ୍ଗର କରି ରଖାଗଲା । ସକାଳେ ଆଇରନ୍‌ଟନ୍‍କୁ ଓହ୍ଲାଇ ଦିଆଯିବ ।

 

ରାତିରେ ଦ୍ୱୀପର ଗୋଟାଏ ଜାଗାରେ ନିଆଁ ଜଳୁଥିବାର ଦେଖାଗଲା । ବୁଝାଗଲା, ଏଇଟା ପ୍ରକୃତରେ ଆଗ୍ନେୟଗିରି । କିନ୍ତୁ କୌଣସି ଗର୍ଜ୍ଜନ ଶୁଣାଯାଉ ନାହିଁ କାହିଁକି ?

 

ପ୍ୟାଗାନେଲ୍‌ କହିଲା, କେତେଗୁଡ଼ିଏ ଆଗ୍ନେୟଗିରି ଅଛି ଯେଉଁ ଥିରେ ଖାଲି ନିଆଁ ଜଳେ, ଶଦ୍ଦ ହୁଏ ନାହିଁ ।

 

ପର ମୁହୂର୍ତ୍ତରେ କିନ୍ତୁ ଏ ଭୁଲ୍‍ ଭାଙ୍ଗିଗଲା । ହଠାତ୍‌ ଦେଖାଗଲା ସେଠାରେ ଆଉ ଗୋଟିଏ ନିଆଁ ଜଳୁଛି । ଆଉ ସେ ନିଆଁ ହଲୁଛି, କେତେବେଳେ ଜଳୁଛି ତ ପୁଣି କେତେବେଳେ ଲିଭି ଯାଉଛି ।

 

ଏଠି ମଣିଷ ଅଛନ୍ତି ବୋଧହୁଏ, ଲର୍ଡ ଗ୍ଳେନାରଭ୍ୟାନ୍‌ କହିଲେ ।

 

ନିଶ୍ଚୟ । ଅସଭ୍ୟ ଜଙ୍ଗଲୀମାନେ ରହନ୍ତି ଏଠାରେ–ପ୍ୟାଗାନେଲ୍‍ ଯୋଗଦେଲା ।

 

ଯାହା ହୋଇଥିଲେ ବି ଆଇରନ୍‌ଟନ୍‌କୁ ଏଇଠାରେ ଓହ୍ଲାଇଦେବାକୁ ହେବ ।

 

ରାତି ଏଗାରଟା ବେଳେ ଡେକ୍‍ ଉପରେ ଜଣେ ଲୋକକୁ ପହରା ରଖି, ସମସ୍ତେ ଶୋଇବାକୁ ଗଲେ । ମେରୀ ଓ ରବର୍ଟଙ୍କ ଆଖିରେ କିନ୍ତୁ ନିଦ ନାହିଁ ।

 

ଦୁହେଁ ଡେକ୍‍କୁ ଆସି ରେଲିଂ ଧରି ଠିଆ ହେଲେ । ମୁଣ୍ଡ ଉପରେ ତାରା ଭରା ଆକାଶ–ତଳେ ଢେଉଭରା ପ୍ରଶାନ୍ତ ମହାସାଗର । ଦୁହେଁ ନାନାପ୍ରକାର ଆଲୋଚନା କଲେ । ମେରୀ ରବର୍ଟର ଭବିଷ୍ୟତ କଥା ଆଲୋଚନା କଲା । ରବର୍ଟ ମେରୀର ଭବିଷ୍ୟତ କଥା ଭାବିଲା । ଦୁହେଁ ବାପାଙ୍କ ବିଷୟରେ ଆଲୋଚନା କଲେ । ସତେ କ’ଣ ବାପା ଏ ପର୍ଯ୍ୟନ୍ତ ବଞ୍ଚିଛନ୍ତି ?

 

ଏଇ ସମୟରେ ଗୋଟିଏ ଅଦ୍‌ଭୁତ ଘଟଣା ଘଟିଲା ।

 

ହଠାତ୍‌ ଦୁହେଁ ସ୍ପଷ୍ଟ ଣୁଣିବାକୁ ପାଇଲେ ଜାହାଜ ତଳେ ପାଣି ଭିତରୁ କିଏ ଯେପରି ଚିତ୍‌କାର କରୁଛି–ବଞ୍ଚାଅ–ବଞ୍ଚାଅ ।

 

ଶୁଣି ପାରୁଛ ? ରବର୍ବ କହିଲା ।

 

ଦୁହେଁ ରେଲିଂ ଧରି ଝୁଙ୍କି ପଡ଼ି ପାଣିକୁ ଅନାଇଲେ, କିନ୍ତୁ କିଛି ଦେଖିବାକୁ ପାଇଲେ ନାହିଁ ।

 

ମେରୀ କହିବାକୁ ଚେଷ୍ଟା କଲା–ଜାଣୁ ରବର୍ଟ, ମୁଁ ଭାବିଲି ମୁଁ ଭାବିଲି–

 

ତା’ କଥା ଶେଷହେବା ପୂର୍ବରୁ ପୁଣି ସେଇ କଣ୍ଠ ଶୁଣାଗଲା, ବଞ୍ଚାଅ–ବଞ୍ଚାଅ–

 

ଏଥର ଦୁହେଁ ପାଟି କରି ଉଠିଲେ, ବାପା ! ବାପା !

 

ମେରୀ ମୁର୍ଚ୍ଛିତ ହୋଇପଡ଼ିଲା । ରବର୍ଟ ଧରିପକାଇ ନଥିଲେ ପଡ଼ିଯାଇ ସେ ଭୀଷଣ ଆଘାତ ପାଇଥାନ୍ତା । ପହରା ଦେଉଥିବା ଲୋକଟି ଛୁଟି ଆସିଲା । କେବିନ୍‌ରୁ ଅନ୍ୟମାନେ ଡେକ୍‌ ଉପରକୁ ଚାଲି ଆସିଲେ ।

 

ଘଟଣା କ’ଣ ? ଦୁହେଁ କୁଆଡ଼େ ସ୍ପଷ୍ଟ ଶୁଣିଛନ୍ତି ସେମାନଙ୍କ ବାପାଙ୍କ ସ୍ୱର । ସମସ୍ତେ ପାଣି ଉପରକୁ ଚାହିଁଲେ । କିନ୍ତୁ କିଛି ଦେଖାଗଲା ନାହିଁ ସେଠାରେ । ପ୍ୟଗାନେଲ୍‍ କହିଲା, ଏପରି ହୁଏ । ବେଶୀଗୁଡ଼ାଏ ଚିନ୍ତାକଲେ ମଣିଷ ଏହିପରି ଭୁଲ୍‍ ଶଦ୍ଦଶୁଣେ ।

 

ଲର୍ଡ ଗ୍ଳେନାରଭ୍ୟାନ୍‌ ଦୁଇଟି ଅନାଥ ତରୁଣ ତରୁଣୀଙ୍କ ପିଠିରେ ହାତ ବୁଲାଇ ସେମାନଙ୍କୁ ଶାନ୍ତ କଲେ । ତା’ପରେ ସେମାନଙ୍କୁ ନେଇ ଯାଇ ତଳେ ଶୁଆଇ ପକାଇଲେ ।

 

ତା’ ଆରଦିନ ସକାଳେ ସମସ୍ତେ ଡେକ୍‌ ଉପରକୁ ଆସିଲେ ।

 

ସମସ୍ତେ ଭଲ ଭାବରେ ଦ୍ୱୀପଟିକୁ ଦେଖିବାକୁ ଚାହାଁନ୍ତି । ଅନେକେ ଟେଲିସ୍କୋପ ସାହାଯ୍ୟରେ ଦେଖିବାକୁ ଲାଗିଲେ ।

 

ରବର୍ଟ ଆଉ ଥରେ ଚିତ୍କାର କରି କହି ଉଠିଲା, ଆରେ ଦେଖୁଛ, ଦୁଇ ଜଣ ଲୋକ ହାତରେ ପତାକା ଧରି ହଲାଉଛନ୍ତି ।

 

ଆରେ, ଏ ଯେ ଆମ ଜାତୀୟ ପତାକା–ଇଉନିଅନ୍‌ ଜାକ୍‌ ।

 

ଲର୍ଡ, ମୁଁ ଏଇ ଦ୍ୱୀପକୁ ଯିବି । ରବର୍ଟ ଲର୍ଡ ଗ୍ଳେନାରଭ୍ୟାନ୍‍ଙ୍କୁ ଅନୁରୋଧ କଲା । ମୁଁ ଆପଣଙ୍କ ହାତ ଧରୁଛି, ମୋତେ ଅନୁମତି ଦିଅନ୍ତୁ ।

 

କେହି କିଛି କହିଲେ ନାହିଁ । ପ୍ରତ୍ୟେକଙ୍କ ମନରେ କାଲି ରାତିରେ ଘଟି ଯାଇଥିବା କଥା ମନେ ପଡ଼ୁଛି । ତା’ହେଲେ କ’ଣ–

 

ଗୋଟିଏ ନୌକା ତଳକୁ ଓହ୍ଲାଇ ଦିଆହେଲା । ସେଥିରେ ବସିଲେ ଲର୍ଡ, ମେରୀ, ରବର୍ଡ, ଜନ୍‍ ମ୍ୟାଙ୍ଗ୍‌ଲସ ଓ ପ୍ୟଗାନେଲ୍‍ ଆଉ ଛ’ ଜଣ ବଳିଷ୍ଠ ନାବିକ–ଆହୁଲା ମାରିବା ପାଇଁ ।

 

–ତେର–

 

ନୌକା ଯେତେବେଳେ ଦ୍ୱୀପର ତିରିଶ ଚାଳିଶ ଗଜ ଦୂରରେ ପହଞ୍ଚିଲା ସେତେବେଳେ ହଠାତ୍‌ ମେରୀ ଚିତ୍କାର କରି ଉଠିଲା–ବାପା !

 

କୂଳରେ ଜଣେ ଲମ୍ୱା ଚଉଡ଼ା ଲୋକ ଠିଆ ହୋଇଥିଲେ, ପାଖରେ ଥିଲେ ଆଉ ଦୁଇ ଜଣ । ସତରେ ସେ ହେଉଛନ୍ତି କ୍ୟାପଟେନ୍‍ ଗ୍ରାଣ୍ଟ୍‍ ।

 

ମେରୀର ଚିତ୍କାର କାନରେ ବାଜିବାରୁ କ୍ୟାପଟେନ୍‌ ଗ୍ରାଣ୍ଟ୍‍ ଜ୍ଞାନ ହରାଇ ବାଲି ଉପରେ ପଡ଼ିଗଲେ ।

 

ତା’ପରର ଦୃଶ୍ୟ ହର୍ଷ–ବିଷାଦର । କ୍ୟାପଟେନ୍‍ ଗ୍ରାଣ୍ଟ୍‍ଙ୍କ ଜ୍ଞାନ ଫେରି ଆସିବା ପରେ, ତାଙ୍କୁ ଓ ତାଙ୍କର ସଙ୍ଗୀ ଦୁଇ ଜଣଙ୍କୁ ଜାହାଜକୁ ଅଣାହେଲା ।

 

ପୁଅ ଝିଅଙ୍କ ପାଖରୁ ସମସ୍ତେ କିଛି ଶୁଣି କ୍ୟାପ୍‌ଟେନ, ଲର୍ଡ ଗ୍ଳେନାରଭ୍ୟାନ୍‍ ଓ ତାଙ୍କର ସଙ୍ଗୀମାନଙ୍କୁ ବହୁତ ଧନ୍ୟବାଦ ଦେଲେ, କୃତଜ୍ଞତା ଜଣାଇଲେ ।

 

ଆଇରନ୍‌ଟନ୍‌କୁ ଦ୍ୱୀପରେ ଛାଡ଼ି ଦେବା ପୂର୍ବରୁ କ୍ୟାପଟେନ୍‍ ସମସ୍ତଙ୍କୁ ଆଉ ଥରେ ମେରିଆ ଥେରେସା ଦେଖାଇବାକୁ ନେଇଗଲେ ।

 

ଛୋଟ ଦ୍ୱୀପଟିଏ । ନିଜ ହାତରେ ତିଆରି କାଠ ଘର ଝରଣା ପାଣି, କିଛି ମେଣ୍ଢା ଦୁଧ, ଆଉ ନିଜେ କରିଥିବା ଫସଲ–ଏଇଥିରେ ବେଶ୍‌ ଚଳି ଯାଉଥିଲେ ସେମାନେ । ସମସ୍ତେ ମିଶି ସେଠାରେ ଜଳଖିଆ ଖାଇଲେ । ତା’ପରେ କ୍ୟାପ୍‌ଟେନ ଆରମ୍ଭ କଲେ ତାଙ୍କର କାହାଣୀ ।

 

ମେରିଆ ଥେରେସା ଉପକୂଳରେ ତାଙ୍କ ବ୍ରିଟେନିଆ ଜାହାଜ ବୁଡ଼ିଗଲା । ଏହା ଆଗରୁ ସାତ ଦିନ ସେମାନେ ସମସ୍ତେ ପ୍ରଚଣ୍ଡ ତୋଫାନ ସଙ୍ଗେ ଯୁଦ୍ଧ କରିଛନ୍ତି । ମାତ୍ର ତିନି ଜଣଙ୍କ ଛଡ଼ା ଆଉ ସମସ୍ତେ ଜାହାଜ ବୁଡ଼ିବାରେ ମରି ଯାଇଛନ୍ତି । କେବଳ ସେମାନେ ପହଁରି ପହଁରି ଆସି ଉଠିଲେ ଏଇ ନିର୍ଜ୍ଜନ ଦ୍ୱୀପରେ । ଡାନିଏଲ ଡେଫୋ, ରବିନ୍‌ସନ କ୍ରୁଶୋଙ୍କ ପରି ଅବସ୍ଥା ହେଲା ସେମାନଙ୍କର । ରବିନ୍‍ସନ କ୍ରୁଶୋଙ୍କୁ ଆଦର୍ଶ କରି ସେମାନେ କାର୍ଯ୍ୟରେ ଲାଗିଗଲେ । ଭଙ୍ଗା ବ୍ରିଟାନିଆ ଜାହାଜର କାଠରେ ଘର ତିଆରି କଲେ, ଚାଷ କଲେ । ବଣୁଆ ମେଣ୍ଢା ଧରି ପୋଷିଲେ-। ପାଖରେ ଥିବା ଝରଣାରୁ ପିଇବା ପାଣି ସଂଗ୍ରହ କଲେ ।

 

ଅଢ଼େଇ ବର୍ଷ ଏଇପରି ଏକ ପ୍ରକାର ସୁଖରେ କଟିଗଲା–ଏକମାତ୍ର ମଣିଷମାନଙ୍କ ମୁହଁ ଦେଖିବା ଛଡ଼ା । ଏଥିପାଇଁ ପ୍ରାଣ କାନ୍ଦୁଥିଲା । ଉଦ୍ଧାରର ଆଉ କୌଣସି ଆଶା ନଥିଲା । କାରଣ ଏହା ଜାହାଜ ଯିବା ଆସିବା ବାଟ ନୁହେଁ । ମଝିରେ ମଝିରେ ଗୋଟାଏ ଦୁଇଟା ଜାହାଜ ଦେଖିଛି, ସଙ୍କେତ ବି ଦେଇଛି–କିନ୍ତୁ ସେମାନେ ବୋଧହୁଏ ତାହା ଦେଖିବାକୁ ପାଇ ନାହାନ୍ତି । ନିଜ ବାଟରେ ଚାଲି ଯାଇଛନ୍ତି । କ୍ୟାପଟେନ୍‍ ଗ୍ରାଣ୍ଟ୍‍ କହିବାକୁ ଲାଗିଲେ ।

 

କାଲି ରାତିରେ ଯେତେବେଳେ ତୁମ୍ଭମାନଙ୍କ ଏ ଜାହାଜ ଆସୁଥିଲା ଦେଖିଲି । ମନେ ମନେ ଭାରି ଖୁସି ହେଲି । ଦୁଇ ଥର ନିଆଁ ଜାଳିଲି । ତେବେ ବି ତୁମଆଡ଼ୁ କୌଣସି ଇଙ୍ଗିତ ପାଇଲି ନାହିଁ । ଶେଷରେ କାଳେ ଜାହାଜକୁ ହରେଇବି–ଏହା ଭାବି ପାଣିରେ ଝାମ୍ପଦେଇ ପହଁରି ପହଁରି ଜାହାଜ ପାଖକୁ ଗଲି । ଦୁଇ ଥର ଚିତ୍କାର କଲି, ବଞ୍ଚାଅ–ବଞ୍ଚାଅ ବୋଲି । କିନ୍ତୁ ବେଶୀ ସମୟ ଏଇ ଉତ୍ତାଳ ଢେଉରେ ରହିବା ସମ୍ଭବ ନଥିଲା । ଫେରି ଆସିଲି କୂଳକୁ ଅଧାମରା ହୋଇ । ରାତିଟା ଯେ ଆମର କି ଯନ୍ତ୍ରଣାରେ କଟିଲା, ତାହା ବୁଝାଇ ପାରିବି ନି ।

 

ସକାଳେ ଦେଖିଲି, ତୁମମାନଙ୍କ ଜାହାଜରୁ ନୌକା ଆସୁଛି ଆମ ଦ୍ୱୀପକୁ । ତା’ପରର ଘଟଣା ତୁମେମାନେ ଜାଣ ।

 

କ୍ୟାପଟେନ୍‍ ଗ୍ରାଣ୍ଟ୍‌ ଟିକିଏ ରହିଯାଇ ପୁଣି କହିବାକୁ ଲାଗିଲେ, ବଡ଼ ଅବଶୋଷର କଥା ଯେ ମେରିଆ ଥେରେସା ଖୁବ୍‌ ଛୋଟ ଦ୍ୱୀପଟାଏ । ଏଇଟା ଯଦି ଆହୁରି ବଡ଼ ହୋଇଥାନ୍ତା, ଝରଣା ବଦଳରେ ଗୋଟିଏ ନଈ ଥାଆନ୍ତା, ତା’ହେଲେ ଏହାକୁ ଆମ ଦେଶର ଉପନିବେଶଟିଏ କରି ପାରିଥାନ୍ତେ ।

 

ଲର୍ଡ ହସି ହସି କହିଲେ, ଏବେ ବି ଆପଣଙ୍କ ମୁଣ୍ଡରୁ ଏଇ ଚିନ୍ତା ଯାଇନି ଦେଖୁଛି ।

 

ସମସ୍ତେ ପୁଣି ଜାହାଜକୁ ଫେରିଆସିଲେ । ଆଜି ଏଇ ଦ୍ୱୀପରେ ଆଇରନ୍‌ଟନ୍‌କୁ ଛାଡ଼ି ଦେଇ ଦେଶକୁ ଫେରିବାକୁ ହେବ ।

 

ଆଇରନ୍‌ଟନ୍‌କୁ ଅଣା ହେଲା ।

 

ପୁଣି ଆମମାନଙ୍କର ଦେଖା ହେଲା ଆଇରନ୍‌ଟନ୍‍–ମୃଦୁ ହସି କ୍ୟାପଟେନ୍‍ ଗ୍ରାଣ୍ଟ୍‌ କହିଲେ ।

 

ମୁଣ୍ଡ ନୁଆଁଇ ରହିଲା ଆଇରନ୍‌ଟନ୍‌, ଧୀର ଭାବରେ କହିଲା, ଆପଣଙ୍କୁ ସୁସ୍ଥ ଶରୀରରେ ଦେଖି ମୁଁ ଖୁସି ହୋଇଛି କ୍ୟାପଟେନ୍‍ ।

 

ଧନ୍ୟବାଦ ! କ୍ୟାପଟେନ୍‌ ଗ୍ରାଣ୍ଟ୍‌ କହିଲେ । ଆଜିଠାରୁ ଏଇ ନିର୍ଜ୍ଜନ ଦ୍ୱୀପରେ ତୁମକୁ ରହିବାକୁ ହେବ ଏବଂ ମୃତ୍ୟୁଯାଏ କୃତକର୍ମର ପ୍ରାୟଶ୍ଚିତ କରିବାକୁ ହେବ ।

 

ଲର୍ଡ ଗ୍ଳେନାରଭ୍ୟାନ୍‍ ଶେଷଥର ପାଇଁ କହିଲେ–ଆଇରନ୍‌ଟନ୍‌, ତା’ହେଲେ ତୁମେ ଏଇଠାରେ ଓହ୍ଲାଇ ରହିଯିବାକୁ ରାଜି ?

 

ହଁ ଆଜ୍ଞା !

 

ଥରେ ଭାବି ଦେଖ– ତୁମେ ମଲାଯାଏ କୌଣସି ଲୋକବାକ ଦେଖିବାକୁ ପାଇବ ନାହିଁ-। ତୁମକୁ ଏଠାରେ ଏକା ରହିବାକୁ ହବ । ତୁମେ ମରିପଡ଼ିଥିବ, କିନ୍ତୁ କବର ଦେବାକୁ କେହି ନଥିବେ । ତୁମକୁ ଶବ ପଶୁ, ପକ୍ଷୀ ଖାଇଦେବେ ।

 

ତଥାପି ମୁଁ ରାଜି ଅଛି ।

 

ବେଶ୍‌ ତା’ହେଲେ ଚାଲ । ଯଦିଓ ତୁମେ କାହାର ସ୍ମରଣ ଅଯୋଗ୍ୟ ତେବେ ବି ଲୋକେ ତୁମକୁ ମନେ ରଖିବେ ଏବଂ ଆମେ ତମ ଠିକଣା ଜାଣିଛୁ । ଯଦି କେତେବେଳେ ଦରକାର ପଡ଼େ, ତେବେ ତୁମକୁ ଏଇଠି ପାଇବୁ ।

 

ଈଶ୍ୱର ଆପଣଙ୍କର ମଙ୍ଗଳ କରନ୍ତୁ । ଧୀର ଭାବରେ ଆଇରନ୍‌ଟନ୍‌ କହିଲା ।

 

ନୌକା ପ୍ରସ୍ତୁତ ହୋଇ ରହିଥିଲା । କିଛି ମାଂସ, କେତେ ଖଣ୍ଡ ପୋଷାକ ପତ୍ର, ଆଉ ଗୋଟିଏ ଅଗ୍ନେୟାସ୍ତ୍ର ଆଇରନ୍‌ଟନ୍‌କୁ ଦିଆଗଲା । ବାଇବେଲଟିଏ ବି ଦିଆଗଲା ।

 

ବିଦାୟ ବେଳ ଆସିଲା ।

 

ହେଲେନା ଓ ମେରୀଙ୍କ ଆଖିରୁ ମଧ୍ୟ ଏ ପାପିଷ୍ଠ ପାଇଁ ଲୁହ ଝରି ପଡ଼ିଲା ।

 

ତାକୁ ଥରେ ଭାବିବାକୁ କହନ୍ତୁ, ସେମାନେ ଲର୍ଡଙ୍କୁ ଅନୁରୋଧ କଲେ । ବିଚରା ଶେଷରେ ହୁଏ ତ ଅନୁତାପ କଲେ ବି ଉପାୟ ପାଇବ ନାହିଁ ।

 

ତାକୁ ଯିବାକୁ ଦିଅ ହେଲେନା, ଲର୍ଡ କହିଲେ । ତା’ର ଏଇ ଶାସ୍ତି ଦରକାର ।

 

ନୌକାରେ ଜନ୍‍ ମ୍ୟାଙ୍ଗ୍‌ଲସ ସଙ୍ଗରେ ଗଲା । ଆଇରନ୍‌ଟନ୍‌ ଜାହାଜଆଡ଼େ ଖାଲି ମୁଣ୍ଡରେ ଠିଆହୋଇ ଚାହିଁ ରହିଲା । ଜାହାଜର ସମସ୍ତେ ମୁଣ୍ଡରୁ ଟୋପି କାଢ଼ି ପକାଇଲେ–ମରିବାକୁ ଯାଉଥିବା ଲୋକ ପାଇଁ ଯେପରି ଭାବରେ କାଢ଼ନ୍ତି ।

 

ନୌକା ଆଗେଇ ଯିବାକୁ ଲାଗିଲା ଦ୍ୱୀପ ଆଡ଼କୁ । କାହା ମୁହଁରେ କୌଣସି କଥା ନାହିଁ, ସମସ୍ତେ ନୀରବ ।

 

ନୌକା ମେରିଆ ଥେରେସା କୂଳରେ ପହଞ୍ଚିବା ମାତ୍ରେ ଆଇରନ୍‌ଟନ୍‌ ଡେଇଁ ପଡ଼ିଲା କୂଳକୁ– ତା’ପରେ ଜନ୍‌ ମ୍ୟାଙ୍ଗ୍‌ଲସ ଓ ଅନ୍ୟମାନେ ନୌକା ନେଇ ଜାହାଜକୁ ଫେରିଆସିଲେ ।

 

ସେିତେବେଳକୁ ସନ୍ଧ୍ୟା ଚାରିଟା ହେଲାଣି

 

ଡେକ୍‌ ଉପରୁ ସମସ୍ତେ ଦେଖି ପାରିଲେ, ଆଇରନ୍‌ଟନ୍‌ ଗୋଟିଏ ଛୋଟ ପାହାଡ଼ ଉପରେ ପଥର ମୂର୍ତ୍ତି ପରି ଜାହାଜକୁ ଚାହିଁ ଠିଆ ହୋଇ ରହିଛି ।

 

ତା’ହେଲେ ଏଥର ଆମେ ଜାହାଜ ଛାଡ଼ିବା ଲର୍ଡ ? ଜନ୍‍ ମ୍ୟାଙ୍ଗ୍‌ଲସ ପଚାରିଲେ ।

 

ହଁ ଜନ୍‍, ଲର୍ଡ ଗ୍ଳେନାରଭ୍ୟାନ୍‍ ବ୍ୟଥାଭରା କଣ୍ଠରେ ଉତ୍ତର ଦେଲେ । ବିଚରା ଆଇରନ୍‌ଟନ୍ ପାଇଁ ସହୃଦୟ ଲର୍ଡଙ୍କ କଣ୍ଠ ଦୁଃଖରେ ରୁଦ୍ଧ ହୋଇ ଆସୁଥିଲା ।

 

ଚଲାଓ, ଜନ୍‍ ମ୍ୟାଙ୍ଗ୍‌ଲସ ନାବିକମାନଙ୍କୁ ଇଞ୍ଜିନ ଚଳାଇବାକୁ ଆଦେଶ ଦେଲା ।

 

ଧୀରେ ଧୀରେ ଜାହାଜ ଦ୍ୱୀପଠାରୁ ଦୂରକୁ ଚାଲିଯିବାକୁ ଲାଗିଲା । ରାତି ଆଠଟା ମଧ୍ୟରେ ମେରିଆ ଥେରେସା ଛୋଟରୁ ଆହୁରି ଛୋଟ ହୋଇ ଦୃଷ୍ଟି ସୀମାର ବାହାରକୁ ଚାଲିଗଲା ।

Image